ଗୁରୁ କୃପା ଶିଷ୍ୟର ଭିକ୍ଷା

ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ରରେ ସଦ୍ ଗୁରୁଙ୍କର ପଦ, ପ୍ରତିଷ୍ଠା, ମର୍ଯ୍ୟାଦା ସର୍ବଶ୍ରେଷ୍ଠ ସର୍ବୋତ୍କୃଷ୍ଟ ଦେବତାମାନଙ୍କ ଠାରୁ ମଧ୍ୟ ମହାନ ଭାବେ ବିବେଚିତ କରାଯାଇଛି । ପ୍ରକୃତରେ କ’ଣ ସାଧାରଣ ବ୍ୟକ୍ତି ଜୀବନ କାଳ ମଧ୍ୟରେ ଗୁରୁ ଗ୍ରହଣ କରିବା ଆବଶ୍ୟକ କି ? ଯଦି ଆବଶ୍ୟକ ଗୁରୁଙ୍କର କୃପା, ଗୁରୁଙ୍କର ମାର୍ଗଦର୍ଶନ ଶିଷ୍ୟ/ସାଧକ ଉପରେ କେଉଁ ପ୍ରକାର ପ୍ରଭାବିତ ଆନ୍ଦୋଳିତ କରିଥାଏ ? ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଠାରୁ ଆରମ୍ଭ କରି ପୂର୍ଣ୍ଣବ୍ରହ୍ମ  ଶ୍ରୀକୃଷ୍ଣଙ୍କ ପର୍ଯ୍ୟନ୍ତ ଗୁରୁ ଗ୍ରହଣ କରିଥିଲେ । ଶିକ୍ଷା, ଦିକ୍ଷା ବିଦ୍ୟା ଅଧ୍ୟୟନ ପାଇଁ ତଦୁପରି ସମସ୍ତ ଦେବତାମାନଙ୍କର ଗୁରୁ ହେଉଛନ୍ତି, ଦେବଗୁରୁ ବୃହସ୍ପତି ଓ ରାକ୍ଷାସମାନଙ୍କ ର ଗୁରୁ ଶୁକ୍ରାଚାର୍ଯ୍ୟ ଭାବେ ଆମେ ଅବଗତ ହୋଇଥାଉ । ଶିଷ୍ୟଟିଏ ଯଦି ନିଜର ଆଧ୍ୟାତ୍ମିକ ଉନ୍ନତି, ଆତ୍ମିକ ପରମାତ୍ମିକ ମହାକୁଳକୁଣ୍ଡଳିନୀ ଆଦି ଦୃଶ୍ୟ ଅଦୃଶ୍ୟ ଜଗତର ସମସ୍ତ ତତ୍ତ୍ଵ ଭିତ୍ତିକ ଜ୍ଞାନ ଅତି ସହଜ ସରଳ ଭାବରେ ସଦ୍ ଗୁରୁଙ୍କ କୃପା ଦ୍ବାରା ପ୍ରାପ୍ତ କରିପାରେ। ସଦ୍ ଗୁରୁ ଯାହାଙ୍କର ଦର୍ଶନ ମନ ଭିତରେ ଦିବ୍ୟ ଶାନ୍ତି  , ଆଧ୍ୟାତ୍ମିକ ଭାବ ଏବଂ ପରମାତ୍ମାଙ୍କ ପ୍ରତି ଦୃଢ଼ ପ୍ରେମ ଭାବ ଜାଗ୍ରତ କରାଇପାରେ । ଗୁରୁ ଜ୍ଞାନ ଦ୍ବାରା ଶିଷ୍ୟ ଭିତରେ ମହାନ୍ ପରିବର୍ତ୍ତନ ଦେଖାଯାଇଥାଏ ଏବଂ ଶିଷ୍ୟ ଜାଣିନିଏ ଯେ, ସଂସାର ଅଳୀକ,ଅନିତ୍ୟ, କ୍ଷଣସ୍ଥାୟୀ । ପ୍ରତ୍ୟେକ ସମ୍ପର୍କ କ୍ଷଣସ୍ଥାୟୀ  , ଯାହା ଉପାର୍ଜନ କରିଛନ୍ତି ତାହା ଦିନେ ଆମକୁ ଛାଡ଼ିବାକୁ ଯିବାକୁ ହେବ । ଏ ଶରୀରର ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ତେଣୁ ଅସରନ୍ତି ସୁଖ, ଆନନ୍ଦ, ଜନ୍ମ ମୃତ୍ୟୁ ଜରାବ୍ୟାଧି ଭୟ ଆଦି ଅଜ୍ଞାନତାରୁ  ହଟାଇ ସଦା ଭଗବତ୍ ପ୍ରେମରେ ତଲ୍ଲୀନ ତଦଗତ ହୋଇ ଭଗବତ୍  ର କର୍ମମୟ ଜୀବନ ଯାପନ କରିଥାଏ ।ଗୁରୁଙ୍କର ଆଶିର୍ବାଦ ତାଙ୍କର ଦିବ୍ୟଜ୍ଞାନ କୁ ଅନୁଭବ କରି ପାରିନାହାନ୍ତି, ତେବେ କେଉଁଠି ନା କେଉଁଠି ଶିଷ୍ୟର ତ୍ରୁଟି ରହିଛି ଏହା ସୁନିଶ୍ଚିତ । ଯାହାର ଉଦାହରଣ ସ୍ୱରୂପ –  ଗୁରୁଙ୍କ ନିକଟକୁ  ଦୁଇ ରାଜ୍ୟର ରାଜା ଯୁଦ୍ଧବିଦ୍ୟା ଓ ରାଜବିଦ୍ୟା ଶିକ୍ଷା ଗ୍ରହଣ କରିବା ପାଇଁ ଆଶ୍ରମରେ ପହଞ୍ଚିଥିଲେ । ଗୁରୁଦେବ ଉକ୍ତ ଦୁଇ ଶିଷ୍ୟଙ୍କୁ ସମସ୍ତ ପ୍ରକାର ରଣକୌଶଳ ଜନିତ ବିଦ୍ୟା ଏବଂ ରାଜବିଦ୍ୟା ଶିକ୍ଷା ଦେଉଥାନ୍ତି । କିଛି ମାସ ଅତିବାହିତ ହେବାପରେ ଦୁଇ ରାଜାଙ୍କର ଦୁଇ ମହାମନ୍ତ୍ରୀ ଖବର ଦେଲେ ହେ ରାଜନ୍ ! ଗୁପ୍ତଚରଙ୍କର ମାଧ୍ୟମରେ ଆମେ ସୂଚନା ପ୍ରାପ୍ତ କଲୁ ଆମ ପାଖରେ ଥିବା ଶତ୍ରୁ ରାଜ୍ୟ ମାନେ  ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ,ଏଣୁ ରାଜ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ଆପଣ ସ୍ଵରାଜ୍ୟ ପ୍ରତ୍ୟାବର୍ତ୍ତନ କରନ୍ତୁ ।ଏ ଖବର ଶ୍ରବଣ କରିବା ପରେ ରାଜା ଦୁହେଁ ଗୁରୁଦେବଙ୍କ ନିକଟକୁ ଯାଇ ସମସ୍ତ ବିଷୟ ପ୍ରକାଶ କଲେ । ଗୁରୁଦେବ ତୁରନ୍ତ କହିଲେ ତୁମେ ଦୁହେଁ ସ୍ଵରାଜ୍ୟ ଫେରିଯାଅ ଓ ରାଜ୍ୟର ପ୍ରଜାମାନଙ୍କୁ ସୁରକ୍ଷା ପ୍ରଦାନ କର । ଗୁରୁଦେବଙ୍କୁ ପ୍ରଣାମ କରି ଯିବା ସମୟରେ ଗୁରୁଦେବ କହିଲେ ମୁଁ ଆଶିର୍ବାଦ କରୁଛି ତୁମେ ଦୁହେଁ ଯୁଦ୍ଧରେ ଶିକ୍ଷା ଗ୍ରହଣ କରିଥିବା ବିଦ୍ୟାର ସଦ୍ ଉପଯୋଗ କରି ନିଶ୍ଚୟ ବିଜୟ ଲାଭ କରିବ  । ଉଭୟ ରାଜା ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ କିଛି ମାସର ବ୍ୟବଧାନ ପରେ ଘମାଘୋଟ ଯୁଦ୍ଧ ହେଲା । ଯୁଦ୍ଧରେ ଜଣେ ରାଜା ଜୟ ଲାଭ କଲେ ଓ ଅନ୍ୟ ଜଣେ ରାଜା ପରାଜିତ ହେଲେ  । କିଛି ଦିନର ବ୍ୟବଧାନ ପରେ ଶିକ୍ଷା ଗୁରୁଙ୍କୁ ସାକ୍ଷାତ କରିବା ପାଇଁ ପୁନର୍ବାର ଦୁଇରାଜା ଆଶ୍ରମକୁ ଗଲେ । ଉଭୟ ଶିଷ୍ୟଙ୍କୁ ଦେଖିବା ପରେ ଗୁରୁଦେବ ପଚାରିଲେ ଯୁଦ୍ଧରେ କ’ଣ ଘଟିଲା ?

ପରାଜିତ ହୋଇଥିବା ଶିଷ୍ୟଟି ଉତ୍ତର ଦେଲେ ଆପଣଙ୍କ ଆଶିର୍ବାଦଟି ନିରର୍ଥକ ବା ବେକାର । ଅନ୍ୟ ଜଣେ ଶିଷ୍ୟ କହିଲେ, ଆପଣଙ୍କ ଆଶିର୍ବାଦ ରୁ  ମୁଁ ଯୁଦ୍ଧରେ ବିଜୟ ଲାଭ କରିଛି । ପରାଜିତ ହୋଇଥିବା ଶିଷ୍ୟକୁ ଗୁରୁଦେବ ପଚାରିଲେ ଆଶ୍ରମରୁ ଫେରିବା ପରେ ତୁମେ କ’ଣ କଲେ ? ଶିଷ୍ୟ ଉତ୍ତର ଦେଇ କହିଲେ ମୁଁ ଆପଣଙ୍କ ଆଶିର୍ବାଦକୁ ସଂପୂର୍ଣ୍ଣ ବିଶ୍ଵାସ କଲି , ଯୁଦ୍ଧ କରି ପରିଶେଷରେ ପରାସ୍ତ ହେଲି । ବିଜୟୀ ଶିଷ୍ୟକୁ ଗୁରୁଦେବ ପଚାରିଲେ ତୁମେ କ’ଣ କଲ ? ଉତ୍ତର ଦେଇ ଶିଷ୍ୟ କହୁଛନ୍ତି,ହେ ଗୁରୁଦେବ !  ଆପଣଙ୍କ ଆଶିର୍ବାଦକୁ ବିଶ୍ଵାସ କରିବା ସହିତ ଆପଣ ଦେଇଥିବା ରଣକୌଶଳ ବିଦ୍ୟାକୁ ସଦୁପଯୋଗ କଲି ଯେପରିକି ମୋ ପାଖରେ  ସୈନ୍ୟ ଥିଲେ, ସୈନ୍ୟ ସଂଖ୍ୟା ୪ଗୁଣକୁ ବୃଦ୍ଧି କଲି । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ସୈନ୍ୟମାନଙ୍କୁ  ପ୍ରଦାନ କଲି ଏବଂ  ସେ  ସୈନ୍ୟମାନଙ୍କୁ ଆପଣ ପ୍ରଦାନ କରିଥିବା  ରଣକୌଶଳ ମଧ୍ୟ ଶିକ୍ଷା  ଦେଲି ପରିଶେଷରେ ଯୁଦ୍ଧରେ ଜୟଯୁକ୍ତ ହେଲି । ଏହି ସବୁ ଗୁରୁଦେବ ଶ୍ରବଣ କରିବା ପରେ ଗୁରୁଙ୍କର ଆଶିର୍ବାଦ ଓ ଜ୍ଞାନ ଯଦି ଜୀବନରେ ଯେଉଁ ଶିଷ୍ୟ ପାଳନ କରେ, ନିଶ୍ଚିତ ଭାବରେ ସେ ସଫଳତା ପ୍ରାପ୍ତ କରିଥାଏ । ଏବଂ ପରାଜିତ ହୋଇଥିବା ଶିଷ୍ୟ ବିଜୟୀ ଲାଭ କରିଥିବା ଶିଷ୍ୟର ସମସ୍ତ କଥା ଶୁଣି ବୁଝିପାରିଲେ, ନିଜର ଦୋଷ ତ୍ରୁଟି କେଉଁଠି ରହିଥିଲା । ତଦୁପରି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଯଦି ଗୁରୁ କୃପାକୁ ଆମେ ଜୀବନରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛେ ଗୁରୁଙ୍କର ନିର୍ଦେଶକୁ  ଜୀବନ କାଳରେ ପାଳନ/ ଆଚରଣ କଲେ ତେବେ ଭଗବତ୍ କୃପା ନିଶ୍ଚୟ ଅନୁଭବ କରିପାରିବେ । ସମସ୍ତ ଗୁରୁବର୍ଗଙ୍କର ଶ୍ରୀଚରଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଣାମ କରି ନମ୍ର ନିବେଦନ କରେ ଆପଣମାନଙ୍କ କୃପା ଆଶିର୍ବାଦ ନିୟମିତ ଏ ଅଧମ ଶିଷ୍ୟ ମାନଙ୍କ ପ୍ରତି ପ୍ଳାବିତ ହେଉଥାଉ ।

          
           ଶ୍ରୀ ଜଗଦାନନ୍ଦଜୀ
            ସଂସ୍କୃତି ଗବେଷକ
                ଜୟପୁର
   ଫୋନ ନଂ: 9437236575
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.