୧୩ ବର୍ଷରୁ ଗାଦି ମାଡ଼ି ବସିଛନ୍ତି ଏମଜିଏନଆରଇଜିଏସ ଜିଲ୍ଲା କୋର୍ଡିନେଟର, ବଦଳି କେବେ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ଚାକିରିଆଙ୍କ ମଧ୍ୟରେ ସ୍ଵଛତା ଓ ନିଷ୍ଠାର ସହିତ ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ତିନି ବର୍ଷ ମଧ୍ୟରେ ଅନ୍ୟତ୍ର ବଦଳି କରିବାର ନିୟମ ରହିଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଅଧିକାରୀଙ୍କ ବଦଳି ନ ହେବା ଘଟଣା ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଏମଜିଏନଆରଜିଏସ ସେକ୍ସନରେ ଜିଲ୍ଲା କୋର୍ଡିନେଟର ଭାବେ କାର୍ଯ୍ୟରତ ଥିବା ପାର୍ବତୀ ପଟ୍ଟନାୟକ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟଧରି କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡିଛି। ୨୦୧୧ ମସିହା ଆକ୍ଟୋବରରେ ଏହି ମହିଳା ଅଧିକାରୀ ଜଣକ କଳାହାଣ୍ଡି ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟରେ ଏମଜିଏନଆରଇଜିଏସ ଜିଲ୍ଲା କୋର୍ଡିନେଟର ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। କାର୍ଯ୍ୟରେ ଯୋଗାଦାନ ଦିନ ଠାରୁ ଅଦ୍ୟାବଧି ତାଙ୍କ ବଦଳି ନ ହେବା ଘଟଣାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମହିଳା ଅଧିକାରୀ ଜଣକ ଗୋଟିଏ ସ୍ଥାନରେ ଦୀର୍ଘ ୧୩ ବର୍ଷ ହେଲା ଗାଦି ମାଡ଼ି ବସିବାର କାରଣ କ’ଣ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ହେଉଛି।

ଏଠାରେ ସୂଚନାଯୋଗ୍ୟ ଯେ, ଇତି ମଧ୍ୟରେ ୫ ଜଣ ଜିଲ୍ଲାପାଳ, ୫ ଜଣ ଏସପି, ୬ ଜଣରୁ ଅଧିକ ପିଡ଼ି ଡିଆରଡିଏ ସମେତ ଏଡିଏମ, ସବ କଲେକ୍ଟର ଭଳି ସିଡିଏମଓଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଛି। ଏହା ସହିତ ଏହି ଏମଜିଏନଆରଇଜିଏସ ସ୍କିମରେ କାର୍ଯ୍ୟରତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଓ ବ୍ଲକ ତଥା ପଞ୍ଚାୟତ ସ୍ତରୀୟ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜିଲ୍ଲାର ବ୍ଲକ ତଥା ଅନ୍ୟ ଜିଲ୍ଲା ମାନଙ୍କୁ ବଦଳି ହେଉଛି। ଏପଟେ ପଡୋଶୀ ନବରଙ୍ଗପୁର ଓ ବଲାଙ୍ଗୀର ଭଳି ଜିଲ୍ଲାରେ ଏହି ପୋଷ୍ଟରେ କାର୍ଯ୍ୟରତ ପଦାଧିକାରୀଙ୍କର ଅନେକ ଥର ଅନ୍ୟତ୍ର ବଦଳି ହୋଇଥିବା ବେଳେ କଳାହାଣ୍ଡିରେ ଏହା କାର୍ଯ୍ୟକାରୀ ହୋଇନାହିଁ। ସରକାରୀ ଗାଇଡ଼ ଲାଇନ ମୁତାବକ ଜଣେ ଅଧିକାରୀଙ୍କ ଗୋଟିଏ ଜାଗାରେ ୩ ବର୍ଷ କାଳ କାର୍ଯ୍ୟ କଲାପରେ ଅନ୍ୟତ୍ର ବଦଳି କରାଯିବାର ପ୍ରାବଧାନ ରହିଛି। କିନ୍ତୁ ଏହି ବିଭାଗର ସର୍ବୋଚ୍ଚ ଅଧିକାରୀ ଏହି ଜିଲ୍ଲା କୋର୍ଡିନେଟରଙ୍କ ପାଇଁ ବୋଧେ କିଛି ସ୍ୱତନ୍ତ୍ର ନିୟମ ଲାଗୁ କରିଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏ ଅହେତୁକ ଅନୁକମ୍ପା କେଉଁ ସ୍ତରରୁ ରହୁଛି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଦୀର୍ଘ ଦିନ ଏହି ପଦବୀରେ ରହି ଅନ୍ୟତ୍ର ବଦଳି ନ ହେବା ଯୋଗୁଁ ମ୍ୟାଡ଼ମଙ୍କର ଉଚ୍ଚାରଣ ଓ ଆଚରଣରେ ଅତିଷ୍ଠ ହେଉଥିବା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି କିଛି କର୍ମଚାରୀ। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.