ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର, ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୁଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୁରୁତରମାନେ ହେଲେ ମଥା ବରିହା (୪୨) ଅଲେଖ ବରିହା (୨୨) ଓ ଅମ୍ବିକା ବରିହା (୨୩) ଏମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ବଡ଼ ଡାକ୍ତଲଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ନୁଆଁମୁଣ୍ଡା ଗାଁର ମଥା ବରିହା ପରିବାରର ଭାଇ ଅଲେଖ, ଝିଅ ଅମ୍ବିକା (୨୩), ନମିତା (୧୩) ଓ ଅନିଶା (୬) ସମସ୍ତେ ଖାଇପିଇ ସାରି ଘରେ ଶୋଇ ପଡ଼ିଥିବା ସମୟରେ ଲଗାଣ ବର୍ଷା ହେବା ଦ୍ୱାରା ହଠାତ ରାତି ୧୦ ଘଣ୍ଟା ସମୟରେ ଘର ଭୁଶୁଡି ପଡିଥିଲା। ପରିବାର ଲୋକେ ଚିତ୍କାର କରିବା ପରେ ଗାଁର ଦଇତାରି ବରିହା, ଗଦାଧର, ଗିରିଧାରୀ, ଅଧିକାରୀ, ମମତା, ବନିତା ପ୍ରକାଶ ଓ ଭିକାରୀ ବରିହା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଉଭୟ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଅମ୍ବିକାଙ୍କର ଛାତିରେ ଜୋର ଆଘାତ ଲାଗିଥିବା ବେଳେ ମଥା ଓ ଅଲେଖର ମଧ୍ୟ ଆଘାତ ଲାଗି ଚିକିତ୍ସା ହେଉଥିବା ଜଣାପଡିଛି। ଘଟଣାର ୨୪ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ଆସି ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଛାଟିମାଟିରେ ଘର ନିର୍ମାଣ କରି ବସଵାସ କରି ରହୁଥିଲେ। ତେଣୁ ଏହି ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଆଇନଜୀବି ମୁକେଶ ଠାକୁର ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.