‘ଯୋଗସୂତ୍ର’ରେ ମହର୍ଷି ପତଞ୍ଜଳି ଯୋଗର ଯେଉଁ ପରିଭାଷା ଦେଇଛନ୍ତି, ତାହା ହେଲା- ‘ଯୋଗଃ ଚିତ୍ତବୃତ୍ତି ନିରୋଧଃ’। ଅର୍ଥାତ୍ ଚିତ୍ତବୃତ୍ତିଗୁଡ଼ିକ ଉପରେ ନିୟନ୍ତ୍ରଣ ହିଁ ଯୋଗ। ଖିଲିଖିଲି ହସରେ ବା ଜୋର୍’ରେ ହସିବା ବେଳେ କ୍ଷଣିକ ପାଇଁ ହେଉପଛେ, ଆମେ ନିଜ ମନର ଚଂଚଳତା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରୁ। ଏହା ହେଉଛି ‘ଇନଷ୍ଟାଣ୍ଟ୍’ ଯୋଗ ଅବସ୍ଥା। ଏହି କ୍ଷଣଗୁଡ଼ିକର ଯେତେ ଅଧିକ ପୁନରାବୃତ୍ତି ହେବ, ଆମେ ସେତିକି ଯୋଗମୟ ଜୀବନର ନିକଟତର ହେବା। ହସିବା ପ୍ରକ୍ରିୟାରେ ମନର ଭୂମିକା ଗୌଣ ବା ନଗଣ୍ୟ ହୋଇଯାଇଥାଏ। ହସୁଥିବା ବ୍ୟକ୍ତି ତତକ୍ଷଣାତ୍ ‘ନୋ ଥଟ୍ ଷ୍ଟେଟ୍’ ବା ‘ଅ-ମନ’ ଅବସ୍ଥାରେ ପହଂଚି ଯାଏ। କିଛିକ୍ଷଣ ପାଇଁ ଆମେ ଏକ ଗହନ ଧ୍ୟାନ ଅବସ୍ଥାକୁ ସ୍ୱତଃ ପହଂଚିଯାଉ। ହସିବା ଏକ ଏଭଳି କ୍ରିୟା, ଯେଉଁଥିରେ ପୂର୍ଣ୍ଣ ଏକାଗ୍ରତା ସମ୍ଭବ; ଆଉ ଏହି ଏକାଗ୍ରତା ହିଁ ଧ୍ୟାନ। ଯୋଗାଭ୍ୟାସ ବେଳେ ଧ୍ୟାନ ଅବସ୍ଥାରେ ପହଂଚିବାକୁ ଯମ, ନିୟମ, ଯୋଗ, ପ୍ରାଣାୟାମ, ପ୍ରତ୍ୟାହାର ଓ ଧାରଣା ଆଦି ଅବସ୍ଥା ଅତିକ୍ରମ କରିବାକୁ ପଡ଼େ। କିନ୍ତୁ ଜୋର୍’ରେ ହସିବା ଦ୍ୱାରା ଆମେ ସିଧା ଧ୍ୟାନାବସ୍ଥାର ନିକଟତର ହେଉ। ହସିବା ବେଳେ ଚିନ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ଆମେ ସୁଖ, ଦୁଃଖ, ରୋଗ, ଶୋକ, ଦ୍ୱେଷ ଆଦି ଭାବନାରୁ ସଂପୂର୍ଣ୍ଣ ମୁକ୍ତ ହୋଇଯାଉ। ଏହାକୁ ମଧ୍ୟ ପରମାନନ୍ଦ ଅବସ୍ଥା କହାଯାଇପାରେ। ସେହିପରି ହସିବାର ସଂପର୍କ ପ୍ରସନ୍ନତା ସହ ରହିଛି। ଯେତେବେଳେ ଆମେ ପ୍ରସନ୍ନ ହେଉ, ସେତେବେଳେ ହସୁ। ଏଣୁ ଯଦି ଆମେ ବିନା କାରଣରେ ବି ହସିବା, ତେବେ ସ୍ୱାଭାବିକ ଭାବେ ପ୍ରସନ୍ନତା ମିଳିବ।ଆମ ମନର ଅବସ୍ଥା ଅନୁସାରେ ହିଁ ଆମ ଶରୀରର ଜୈବ ରାସାୟନିକ ସଂରଚନା ପ୍ରଭାବିତ ହୋଇଥାଏ। ଏଣୁ ମନ ପ୍ରଫୁଲ୍ଲ ରହିଲେ ଆମେ ନିଶ୍ଚୟ ସୁସ୍ଥ ରହିବା।