ମୋହନଗିରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତରଙ୍କ ଅନିୟମିତତା !

ଅଭିଯୋଗ ଆଣିଲେ ମୋହନଗିରୀ, ସିଂହପୁର ସରପଂଚ ଓ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ସୀମାନ୍ତବର୍ତ୍ତୀ ପଂଚାୟତ ମୋହନଗିରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଥିବା ଡ଼ାକ୍ତରଙ୍କ ଅନିୟମିତତା ନେଇ ଅସନ୍ତୁଷ୍ଟ ଅଂଚଳବାସୀ। ଡ଼ାକ୍ତର ଜଣଙ୍କ ନିୟମିତ ଯାଉନଥିବା ବେଳେ ଖୁବ୍ କମ୍ ସମୟ ସେଠାରେ ନିଜର ସେବା ଯୋଗାଉଥିବା ଅଭିଯୋଗ ହେଇଛି। ମୋହନଗିରୀ ପଂଚାୟତଟି ଏକ ଆଭ୍ୟନ୍ତରୀଣ ତଥା ସୀମାନ୍ତବର୍ତ୍ତୀ ପଂଚାୟତ ହେଇଥିବାବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ମୋହନଗିରୀ, ସିଂହପୁର, ମାଣିକେରା, ଦେଢଶୁଳୀ, ଲୁବେନଗଡ଼ ପଂଚାୟତ ସମେତ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଲୋକେ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଅଙ୍କିତ କୁମାର ଗିରୀ ସକାଳ ସାତଟାରୁ ଦଶଟା ଯାଏଁ ରହି ଫେରିଆସୁଛନ୍ତି। ଯାହା ଫଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଥିବାନେଇ ମ.ରାମପୁର ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ାକ୍ତର ଅମିତ କୁମାର ପଧାନଙ୍କ ପାଖରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ତଥା ଆଲୋଚନା ସମୟରେ ମୋହନଗିରୀ ସରପଂଚ ସୁରେନ୍ଦ୍ର ଧରୁଆ, ସିଂହୁପର ସରପଂଚ ଉଚ୍ଛବ ପଧାନ, ଦେଢଶୁଳୀ ସରପଂଚଙ୍କ ସ୍ୱାମୀ, ମୋହନଗିରୀ ସମିତିସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ସମାଜସେବୀ ଶୁକେଦବ ସାହୁ, ଜଳେଶ୍ୱର ସାହୁ ଉପସ୍ଥିତ ରହିଥିଲେ। ଡ଼ାକ୍ତର ପଧାନ ଖୁବ୍ ଶିଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.