ଶିକ୍ଷକ ବଦଳିକୁ ବାତିଲ ଘଟଣା: ପଞ୍ଚମ ଦିନରେ ପହଂଚିଲା ବିଦ୍ୟାଳୟରେ ତାଲାବନ୍ଦ, ପ୍ରଶାସନ ନୀରବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ସ୍ଥିତ କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି ବାତିଲ ଘଟଣାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ତରଫରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିଥିବା ବେଳେ ଏହି ଆନ୍ଦୋଳନ ୫ମ ଦିନରେ ପହଂଚିଛି। ଉକ୍ତ ସମସ୍ୟା ନେଇ ଗତ ବୁଧବାର ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଗୁହାରି କରିବା ପାଇଁ କେଓମାଲ ଗାଁରୁ ଏକ ପ୍ରତିନିଧି ଦଳ ଭେଟିବା ପାଇଁ ଯାଇଥିବା ବେଳେ ଅଧିକାରୀ ଜଣକ ମିଟିଙ୍ଗରେ ବ୍ୟସ୍ତ ଯୋଗୁଁ ଥିବା ପ୍ରତିନିଧି ଦଳ ନିରାଶ ହୋଇ ତାଙ୍କର ଜଣେ ବିଭାଗୀୟ ଅଧିକାରୀ ଦାବିପତ୍ର ପ୍ରଦାନ କରିଥିଲେ। ଯାହାଫଳରେ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁଛି। ଏଣୁ ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନ ଧାରଣା ଦେବା ପାଇଁ କମିଟି ତରଫରୁ ଚେତାବନୀ ଦେଇଛନ୍ତି।

ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ପ୍ରଧାନ ଶିକ୍ଷକ ସମେତ ୩ ଜଣ ଶିକ୍ଷକ ରହିଥିବା ଜଣାପଡିଛି। ଏହି ବିଦ୍ୟାଳୟରେ ଥିବା ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ଗତ ୫ ଦିନ ହେଲା ପାଠପଢ଼ାରେ ବାଧାପ୍ରାପ୍ତ ଦେଖାଦେଇଛି। ଏପରିକି ଶିକ୍ଷକମାନେ ବିଦ୍ୟାଳୟକୁ ଆସି ଗେଟ ବାହାରରେ ବସି ଛୁଟି ସମୟରେ ଘର ଫେରୁଛନ୍ତି। ଏହା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି। ଏହି ଘଟଣାର ଶୀଘ୍ର ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଶୋବନ୍ତ ପଧାନ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ମଛିନ୍ଦ୍ର ନନ୍ଦ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡି ଙ୍କ ସମେତ କମିଟି ସଦସ୍ୟମାନେ ସାମିଲ ହୋଇଥିଲେ।‌ ଏଣୁ ବିଜ୍ଞାନ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପରିଚାଳନା କମିଟି ଓ ଅଭିଭାବକମାନେ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.