ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ରାତିରେ ଦୁର୍ଲଭ ‘ବ୍ରହ୍ମ କମଳ’ ପୁଷ୍ପ ଫୁଟିଛି ନର୍ଲାର ସାମ୍ବାଦିକ ନିରଞ୍ଜନ ଗଉଡ (ବୁଲୁ)ଙ୍କ ଘର ବଗିଚାରେ। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ନିରଞ୍ଜନଙ୍କ ବାଡ଼ିକୁ ଆସି ବ୍ରହ୍ମ କମଳ ଦର୍ଶନ କରୁଛନ୍ତି। ହିମାଳୟର ପର୍ବତ୍ୟାଞ୍ଚଳରେ ସାଧାରଣତଃ ଫୁଟିଥାଏ ବ୍ରହ୍ମ କମଳ। ଏହା ଦେବତାମାନଙ୍କ ଅତି ପ୍ରୀୟ ହୋଇଥିବାବେଳେ ପୁଣ୍ୟ ଫଳରେ ମାନବଙ୍କୁ ଦର୍ଶନ ଦେଉଥିବା ବିଶ୍ଵାସ ରହିଛି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଏହା ପ୍ରଭୁ କୃପା ବୋଲି କହିଛନ୍ତି ନର୍ଲାବାସୀ। ଶ୍ରୀ ଗଉଡଙ୍କ ପରିବାର ଭକ୍ତିର ସହ ଧୂପ, ଦୀପ ଜାଳି ଏହି ପୁଷ୍ପକୁ ପୂଜାର୍ଚ୍ଚନା କରିଛନ୍ତି।