ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମୁଷାପାଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ମରାମତି ନିମନ୍ତେ ବିଡ଼ିଓ ଏବଂ ବ୍ଳକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଶୀଘ୍ର ମରାମତି କରିବା ପାଇଁ ଦାବି କରିଛନ୍ତି। ପଞ୍ଚାୟତ ସଦର ମହକୁମା ମୃଦୁଙ୍ଗିଆ ଛକଠାରୁ ବୋରଡିବନ୍ଧ ପର୍ଯ୍ୟନ୍ତ ରାସ୍ତାରେ ଦିର୍ଘ ଦିନରୁ ଶୋଚନୀୟ ହୋଇ ଯାତାୟାତ ସମ୍ଭବ ହୋଇ ପାରୁନାହିଁ। କାଦୁଅ ରାସ୍ତା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହିଁ। ରାସ୍ତାରେ ଗାଡି ଆସି ପାରୁ ନଥିବା ଯୋଗୁଁ ମେଡିକାଲ ନେବା ସମୟରେ ଖଟିଆରେ ରୋଗୀଙ୍କୁ ବୋହି ନେବାକୁ ପଡୁଛି। ଅନେକ ଦିନ ହେଲା ରାସ୍ତା ମରାମତି ପାଇଁ ଗ୍ରାମବାସୀ ପଞ୍ଚାୟତକୁ ଜଣାଇଥିଲେ ମଧ୍ୟ ଅନୁଦାନ ନଥିବାରୁ ମରାମତି ହୋଇ ପାରୁନାହିଁ। ଯାହା ଫଳରେ ଲୋକେ ଯିବାଆସିବା କରିବାରେ ହଟହଟା ହେଉଛନ୍ତି। ତେଣୁ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ପ୍ରଦାନ କରିଛନ୍ତି। ଏବଂ ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି।
ମନରେଗା ଯୋଜନାରେ ପ୍ରୋଜେକ୍ଟ ଦିଆଯିବ, ଅର୍ଥ ଅନୁମୋଦନ ହେଲା ପରେ ପେପର ବ୍ରିକ୍ସ ଦିଆଯିବ ବୋଲି ବିଡ଼ିଓ ଏବଂ ବ୍ଳକ ଉପାଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ, ଘେନୁ ମାଝୀ, ସମ୍ପତି ମାଝୀ, ସୁବିଶ ମାଝୀ, ତୁଳା ସୁନାନୀ, କୁମର ମାଝୀ, ଦେବିରାମ ରାଉତ, ପ୍ରେମ ମାଝୀ, ଫକୀର ମାଝୀ, ଗିରି ମାଝୀ, ରଜନୀ ରାଉତ, ଧବଳେଶ୍ୱର ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।