ସର୍ଗିଗୁଡା-ଡିଗିରାପଡା ରେଳ ଫାଟକ ରାସ୍ତା ଖୋଲିବା ପାଇଁ ଦାବୀ: ୨୦୦ ମିଟର ବଦଳରେ ୨ କି.ମି ବୁଲିକି ଯାଉଛନ୍ତି ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା- ଡିଗିରାପଡା, ବିଞ୍ଝାଲପଡା କୁ ରେଳ ଫାଟକ ରହିଥିଲା । ଦୁଇ ସାହି ଓ ବିଞ୍ଜାଲପଡାକୁ ଏହି ରାସ୍ତାଟି ସଂଯୋଗ କରୁଥିଲା । ହେଲେ ଗତ ୧୦ ବର୍ଷ ତଳେ ସର୍ଗିଗୁଡା ଆର୍ଡି ରାସ୍ତାରେ ରେଳବାଇ କଣ୍ଟ୍ରାକଟରର ଭାରିଯାନ ଯୋଗେ ଭାରି ସାମାନ ନେବା ପ୍ରକ୍ରୀୟାକୁ ବିରୋଧ କରିଥିଲେ ସର୍ଗିଗୁଡା ଗ୍ରାମର ଜନସାଧାରଣ । ଫଳରେ ରେଳବାଇ ଅଧିକାରୀ, ଆରପିଏଫ୍ ଷ୍ଟାଫ୍ ଓ ଜନ ସାଧାରଣଙ୍କ ମଧ୍ୟରେ ଟଣା ଓଟରାକୁ ନେଇ ରେଳବାଇ ଅଧିକାରୀ ମାନେ ଉକ୍ତ ରେଳବାଇ ଗେଟ ଫାଟକଟି ଉଠାଇ ନେବା ସହ ରାସ୍ତାଟିକୁ ମଧ୍ୟ ବନ୍ଦ କରିଦେଇଥିଲେ। କେବଳ ସେତିକି ନୁହଁ। ଗେଟ କିପର ପାଇଁ ଉଦ୍ଦିଷ୍ଟ କ୍ୱାଟର୍ସ ଟିକୁ ମଧ୍ଯ ଗତ ଜୁଲାଇ ମାସରେ ଜେଶିପି ଲଗେଇ ଭାଙ୍ଗି ଦିଆଗଲା। ସର୍ଗିଗୁଡା ବସ୍ତିପଡା, ଡିଗିରାପଡା ଓ ବିଞ୍ଝାଲପଡା ମଧ୍ୟରେ ମାତ୍ର ୨୦୦ ମିଟର ବ୍ୟବଧାନ । ସର୍ଗିଗୁଡା ବସ୍ତି ପଡାର ଅନେକ ଚାଷୀଙ୍କ ଜମି ନଦୀ ଆରପଟେ ରହିଛି । ଚାଷୀ ମାନେ ଶଗଡ ଯୋଗେ ବିଲରୁ ଧାନ ଅମଳ କରି ଆଣିବା, ରାତି ସମୟରେ ମଧ୍ୟ ଦୋକାନ ବଜାର କାରବାର ପାଇଁ ଡିଗିରାପଡା ଓ ବିଞ୍ଝାଲପଡାର ଲୋକେ ବସ୍ତିପଡା ଓ ନର୍ଲାରୋଡକୁ ଏହି ଗେଟ ଫାଟକ ରାସ୍ତା ଦେଇ ସୁବିଧାରେ ଯିବା ଆସିବା କରୁଥିଲେ । ଚାଷୀ ଏହି ରେଳବାଇ ଗେଟ ଫାଟକ ରାସ୍ତା ଦେଇ ହଳ ନେଇ ଚାଷ ପାଇଁ ଯାଉଥିଲେ । ଗାଇ ଗୋରୁଙ୍କୁ ଚରେଇବା ପାଇଁ ଯାଉଥିଲେ । ହେଲେ ବ୍ୟକ୍ତିଗତ ଆକ୍ରୋସ ଯୋଗୁଁ ରେଳବାଇ ବିଭାଗ ପକ୍ଷରୁ ରାସ୍ତାଟିକୁ ବନ୍ଦ କରି ଦିଆଯିବା ଫଳରେ ବସ୍ତିପଡା, ମାଝୀପଡା, ଡିଗିରାପଡା ଓ ବିଞ୍ଝାଲ ପଡାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଛୋଟିଆ କାମ ପାଇଁ ମୁଖ୍ୟ ରାସ୍ତା ଭବାନୀପାଟଣା- ମ.ରାମପୁରରେ ରହିଥିବା ଲେବୁଲ କ୍ରସିଂ ଫାଟକ ପଟେ ବୁଲିକି ଯିବାକୁ ପଡୁଛି । ୨୦୦ ମିଟର ରାସ୍ତା ପାଇଁ ୨ କି.ମି. ରାସ୍ତା ବୁଲିବା ଜନସାଧାରଣଙ୍କ ପାଇଁ ଅନେକ ସମସ୍ୟା ସାଜୁଛି। ଯାହା ଫଳରେ ଏହି ଚାରିଗୋଟି ୱାର୍ଡର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି ।

ଜନସାଧାରଣଙ୍କ କଷ୍ଟକୁ ଅନୁଭବ କରି ସର୍ଗିଗୁଡାର କିଛି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଗତବର୍ଷ ସମ୍ବଲପୁର ସ୍ଥିତ ରେଳବାଇ ବିଭାଗର ଜୋନାଲ ଅଫିସକୁ ଯାଇ ଡିଆରଏମଙ୍କୁ ସାକ୍ଷାତ କରି ଏହି ରାସ୍ତାଟିକୁ ପୁଣି ଖୋଲିବା ପାଇଁ ଅନୁରୋଧ ପତ୍ର ଦେଇକି ଆସିଥିଲେ। ହେଲେ ଫଳ କିଛି ମିଳିଲା ନାହିଁ।
ଏବେ ଏହି ରାସ୍ତା ଦେଇ ତୃତୀୟ ରେଳ ଲାଇନ ମଧ୍ଯ କାର୍ଯ୍ଯ କ୍ଷମ ହୋଇ ଯାଇଛି। ତୃତୀୟ ରେଳ ଲାଇନ ପାର୍ଶ୍ଵରେ କଡା କଡି ଭାବରେ ଲୁହା ବାଉଣ୍ଡରୀ ମଧ୍ୟ ସ୍ଥାପିତ କରାଯାଇଛି । ତୃତୀୟ ରେଳ ଲାଇନ ଦେଇ ଟ୍ରେନ ଚାଲିବା ପରେ ଜନସାଧାରଣଙ୍କୁ ରାସ୍ତା ପାଇଁ ଆହୁରି ଅନେକ ଅସୁବିଧା ଭୋଗିବାକୁ ପଡୁଛି । ଏଣୁ ଉକ୍ତ ରାସ୍ତାଟି ଖୋଲି ସର୍ଗିଗୁଡାର ଚାରିଗୋଟି ସାହି ମଧ୍ୟରେ ଯିବା ଆସିବା ପାଇଁ ଗମନା ଗମନର ସୁଗମତା ସୃଷ୍ଟି କରାଯାଉ ବୋଲି ରେଳବାଇ କତ୍ତୃପକ୍ଷଙ୍କୁ ସର୍ଗିଗୁଡା ଜନସାଧାରଣ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.