ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ଷ୍ଟେସନ ର ବାମ ପଟେ ରହିଥିବା ଷ୍ଟାଫ୍ କ୍ୱାଟର୍ସକୁ ସଂଯୋଗ କରି ନର୍ଲାରୋଡ ଶିବ ମନ୍ଦିର ମୁଖ୍ୟ ଗେଟ ସାମନାରୁ ତଥା ନର୍ଲାରୋଡ ହୋଟେଲ ବିକ୍ରମର ଡାହାଣ ପାର୍ଶ୍ଵରେ ନିଜସ୍ୱ ଜାଗାରେ ରେଳବାଇ ବିଭାଗ ଏକ ନୂଆ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ସୋମବାରରୁ ଆରମ୍ଭ କରିଛି। ବହୁତ ଦିନରୁ ଜନସାଧାରଣ ନର୍ଲାରୋଡ ରେଳ ଷ୍ଟେସନକୁ ସ୍ଥାୟୀ ରାସ୍ତା ଖଣ୍ଡିକ ପାଇଁ ଦାବୀ କରି ଆସୁଥିଲେ। ଆଜି ନର୍ଲା ଅଞ୍ଚଳର ଯାତ୍ରୀ ତଥା ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି।
ନର୍ଲାରୋଡ ଯାତ୍ରୀ ସୁରକ୍ଷା ମଞ୍ଚର ସଭାପତି ପ୍ରଦୀପ କୁମାର ନାଏକ ତଥା କର୍ମକର୍ତ୍ତା ହମେଶ କୁମାର ଜୈନ, ବିମଲ କୁମାର କେଡିଆ, ନନ୍ଦକିଶୋର ଜେନା, କୁମୁଦ ଚନ୍ଦ୍ର ନାଏକ, ଜାହରଲାଲ ବିଶ୍ଵାଳ, ବିନାୟକ ମହନ୍ତ, ରାଜା ପରିଡାଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ଏଥିପାଇଁ ସାଧୁବାଦ ଜ୍ଞାପନ କରିଛନ୍ତି ଜନସାଧାରଣ। ନର୍ଲାରୋଡ ଷ୍ଟେସନକୁ ନର୍ଲାର ମୁଖଶାଳା ବୋଲି କୁହାଯାଉଥିବା ବେଳେ ଷ୍ଟେସନକୁ ପ୍ରବେଶ ରାସ୍ତା ମରଣ ଯନ୍ତା ପାଲଟିଛି। ଷ୍ଟେସନ ସାମନାରୁ ଷ୍ଟେସନ ଛକ ପିଡବ୍ଲୁଡି ରାସ୍ତା ଯାଏଁ ୧୫୦ ମିଟର ରାସ୍ତା ଖାଲ ଖମାରରେ ଭରି ରହିବା ସହ ଚମ୍ବଲ ଉପତ୍ୟକାର ଭ୍ରମ ସୃଷ୍ଟି କରୁଛି। ଆଉ ବର୍ଷାଟିକେ ହେଲେ ଏହି ରାସ୍ତାର ଦୁରାବସ୍ଥା କଥା ନକହିବା ଭଲ। ଏହି ଅପନ୍ତରିଆ ରାସ୍ତା ଖଣ୍ଡିକ ପାଇଁ କେତେ ଯେ ଦୁର୍ଘଟଣା ଘଟିଲାଣି ତାହା ହିସାବ କରି କହିବା କଷ୍ଟ। ରେଳ ଷ୍ଟେସନକୁ ଯାତ୍ରୀ ନେଇ ଆସୁଥିବା ଅଟୋ ଓ ଟ୍ୟାକ୍ସୀ ଚାଳକ ମାନେ ଏହି ରାସ୍ତା ପାଇଁ କେତେ ଯେ ଆଖିରୁ ଲୁହ ଝରାଇଛନ୍ତି ତାହା ବଖାଣିବା ମୁସ୍କିଲ। ଗତ ୬ ମାର୍ଚ୍ଚ ୨୦୨୪ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନର୍ଲା ଚପଟଖଣ୍ଡାରେ ହେବାକୁ ଥିବା ଲୋକୋମୋଟିଭ୍ ଓଭରହୌଲିଙ୍ଗ କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ ଭର୍ଚ୍ଚୁଆଲ ମୋଡରେ କରିଥିଲେ। ଏଥିପାଇଁ ନର୍ଲାରୋଡ ରେଳ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ରେଳବାଇ ବିଭାଗ। କାର୍ଯ୍ୟକ୍ରମ ବ୍ୟବସ୍ଥା ପାଇଁ ସମ୍ବଲପୁର ଡିଭିଜନର ଡିଆରଏମ ଏକେ ସିଂ, ଡିଏନ କେବି ରାଓ ପ୍ରମୁଖ ଆସିଥିଲେ ନର୍ଲାରୋଡ। ତାଙ୍କୁ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ମଞ୍ଚ ଓ ଜନସାଧାରଣଙ୍କ ତରଫରୁ ନର୍ଲାରୋଡରେ ପୂର୍ବରୁ ରହୁଥିବା ଏବଂ କରୋନା ପରେ ବନ୍ଦ ହୋଇପଡିଥିବା ଟ୍ରେନ ଗୁଡିକର ଷ୍ଟପେଜ କଥା ସାଙ୍ଗକୁ ନର୍ଲାରୋଡ ଷ୍ଟେସନ ରାସ୍ତା ଉପରେ ଗୁରୁତ୍ୱ ଦେଇ ଶୀଘ୍ର ନିର୍ମାଣ କରିଦେବା ପାଇଁ ଅନୁରୋଧ କରିଥିଲେ। ଶେଷରେ ଅଞ୍ଚଳବାସୀ ଜନସାଧାରଣଙ୍କ ଆଶା ଫଳବତୀ ହୋଇଛି। ଗତ ତିନି ଦଶନ୍ଧି ଧରି ଷ୍ଟେସନକୁ ଯିବାପାଇଁ ଜନସାଧାରଣ ଦ୍ୱାରା ବ୍ୟବହୃତ ହୋଇ ଆସୁଥିବା ଅପନ୍ତରିଆ ରାସ୍ତାର ପୂର୍ଣ୍ଣଚ୍ଛେଦ ପଡିଛି। ଷ୍ଟେସନକୁ ଯିବାପାଇଁ ତିଆରି ହେଉଥିବା କଂକ୍ରୀଟ ରାସ୍ତା ନିର୍ମାଣକୁ ନେଇ ସମସ୍ତଙ୍କ ମୁହଁରେ ଏବେ ହସ ଫୁଟିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତାଟି ବ୍ୟକ୍ତିଗତ ଜାଗା ହୋଇଥିବାରୁ ନା ତ ରାଜ୍ୟ ସରକାର, ନା ବ୍ଲକ ପ୍ରଶାସନ, ନା ଗ୍ରାମ ପଞ୍ଚାୟତ କେହି ବି ରାସ୍ତା ମରାମତି କିମ୍ବା ତିଆରି କରିପାରୁ ନଥିଲେ। ଏବେ ରେଳ ବିଭାଗକୁ ମଧ୍ୟ ବିଶେଷ ଲମ୍ବା ରାସ୍ତା କରିବାକୁ ପଡୁନି। ଷ୍ଟେସନର ବାମପଟେ ରହିଥିବା ଷ୍ଟାଫ କ୍ୱଟର୍ସ ପାଇଁ ରହିଥିବା ୨୦୦ ମିଟର କଂକ୍ରୀଟ ରାସ୍ତାରେ ପିଡବ୍ଲୁଡି ରାସ୍ତା ସହ ମାତ୍ର ୩୦ ମିଟର ନୂଆ କଂକ୍ରୀଟ ରାସ୍ତା ସଂଯୋଗ କରୁଥିବା ଜଣାପଡିଛି। ନୂଆ ରାସ୍ତା ନିର୍ମାଣ ସରିବା ମାତ୍ରକେ ଦୁଇପଟେ ରହିଥିବା ଷ୍ଟାଫ କ୍ୱାଟର୍ସ ଗୁଡିକ ପାଇଁ ଡ୍ରେନ ନିର୍ମାଣ ସାଙ୍ଗକୁ ପୁରୁଣା ଷ୍ଟେସନ ରୋଡ କୁ ଉଚ୍ଚ ପାଚେରୀ ଦେଇ ବନ୍ଦ କରିଦେବ ରେଳବାଇ ବିଭାଗ ବୋଲି ଷ୍ଟେସନ କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।