ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ଆସୁଛି ଗଣେଶ ପୂଜା । ଆଉ ମାତ୍ର ୧୦ ଦିନ ବାକି ରହିଲା । ସ୍କୁଲ, କଲେ, ସମସ୍ତ ଛୋଟ ବଡ ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସବୁଠି ହୋଇଥାଏ ଗଣେଶ ପୂଜା । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗୁଡିକର ଶୀଘ୍ର ଶୀଘ୍ର ନିର୍ମାଣ ସାରିବା ପାଇଁ ଦିନରାତି ଏକ କରିଦେଇଥିବା ଜନାପଡିଛି ।
ନର୍ଲା, ରୁପ୍ରାରୋଡ, ବାଲିପଡା ପ୍ରଭୃତି ସ୍ଥାନରେ ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର ମାନେ । ଛୋଟ ବଡ ଅନେକ ସାଇଜ ଏବଂ ଦିନକୁ ଦିନ ଆଧୁନିକତାର ଛାପ ବଢି ଚାଲିଥିବାରୁ ଭଗବାନ ଗଣେଶଙ୍କୁ ମଧ୍ୟ ଆଧୁନିକ ଢାଞ୍ଚାରେ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି ।
ଏହି ଆଧୁନିକ ଛାପ ପରିଷ୍ଫୁଟ ମୂର୍ତ୍ତି ଗୁଡିକ କେତେକ ନିଜ ନିର୍ମାଣ ଶୈଳୀର ଚମତ୍କାରିତା ଦେଖାଇବା ପାଇଁ କାରିଗର ମାନେ ନିଜ ଇଚ୍ଛା ମୁତାବକ କରୁଥିବା ବେଳେ ଅନେକ ମୂର୍ତ୍ତି ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ଗୁଡିକର ଅର୍ଡର ମୁତାବକ କରୁଥିବା ମୂର୍ତ୍ତି କାରିଗର ମାନେ ମତବ୍ୟକ୍ତ କରିଛନ୍ତି । ମୂର୍ତ୍ତି ନିର୍ମାଣ ନିମନ୍ତେ ଆବଶ୍ୟକ ସରଞ୍ଜାମ ଓ ରଙ୍ଗ ସବୁର ଦାମ ଚଳିତ ବର୍ଷ ଚଢା ଦରରେ ଆଣୁଥିବାରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୂର୍ତ୍ତି ଗୁଡିକର ଦାମ ୧୦ ରୁ ୧୫ ପ୍ରତିଶତ ଅଧିକା ଦାମରେ ବିକିବାକୁ ପଡିବ ବୋଲି ମୂର୍ତ୍ତି କାରିଗର ମାନେ ମତବ୍ୟକ୍ତ କରିଛନ୍ତି ।