ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଜୟଦେବ ଭବନ ଠାରେ ସାରସ୍ବତ ସମାଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟର ୬ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତନ୍ମଧ୍ୟରୁ ରମାକାନ୍ତ ସିଂହ ସାହାଣୀଙ୍କୁ “ଜ୍ଞାନ ଗୌରବ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଶ୍ରୀମାନ୍ ସାହାଣୀ ଜଣେ ସୁସାହିତ୍ୟିକ, ସମ୍ପାଦକ, ସଂଗଠକ, ବହୁମୂଖୀ ପ୍ରତିଭା ତଥା ଛାତ୍ରବତ୍ସଲ୍ୟ ଅଧ୍ୟାପକର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରୁଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି। ଅନୁଷ୍ଠାନର ସଭାପତି ପଣ୍ତିତ ଶ୍ଵେତ କୁମାର ଘଡାଇଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ବୈଷ୍ଣବ ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ନିତ୍ୟ ନିରଞ୍ଜନ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସ୍ତମ୍ଭକାର ଲଲିତ ମୋହନ ମିଶ୍ର ପ୍ରମୂଖ ମଞ୍ଚାସୀନ ଥିଲେ। ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିବାବେଳେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଡ. ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ନିଜ ସ୍ବରଚିତ କବିତା ପାଠ କରିଥିଲେ।