କାଳୀୟଦଳନ ଏକାଦଶୀ

ଭାଦ୍ରପଦ କୃଷ୍ଣ ଏକାଦଶୀକୁ କାଳୀୟଦଳନ ଏକାଦଶୀ ବା ଅଜା ଏକାଦଶୀ କୁହାଯାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ଏକାଦଶୀ ବ୍ରତ କରିବାଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ । ଯେଉଁ ବ୍ୟକ୍ତି ଏହିଦିନ ଭଗବାନ ଋଷିକେଶଙ୍କୁ ପୂଜା କରିବ ବୈକୁଣ୍ଠ ପ୍ରାପ୍ତି ଅବଶ୍ୟ କରିପାରିବ ବୋଲି ମଧୁସୂଦନ ଯୁଧିଷ୍ଠିରଙ୍କୁ କହିଛନ୍ତି ।

ଏହି ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ । ସେ ବିଶ୍ୱାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି, ରାଜ୍ୟ ଦାନ କରିବାପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ । ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ । କ’ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାର ସମୁଦ୍ରରେ ସେ ସର୍ବଦା ଘେରି ହୋଇ ରହୁଥିଲେ । ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ । ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ । ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ ପାଇଁ କହିଲେ । ଭାଦ୍ରପଦ କୃଷ୍ଣପକ୍ଷରେ ବିଧିବଦ୍ଧ ଭାବେ ଏହିବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ଏତିକି କହି ଗୌତମ ଋଷି ଅନ୍ତର୍ଦ୍ଧାନ ହୋଇଗଲେ । ଋଷିଙ୍କ କହିବାନୁସାରେ ରାଜା ବ୍ରତ ପାଳନ କଲେ । ବ୍ରତ କରିବାଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା । ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରିପାଇଲେ । ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.