ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବର ଅନୁଷ୍ଠିତ, ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା

ପ୍ରତିମାସ ଶେଷ ଗୁରୁବାରରେ ଅନୁଷ୍ଠିତ ହେବ ଆୟୁଷ୍ମାନ ଆରୋଗ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜକିଶୋର ତ୍ରିପାଠୀ): ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ନାଲି ଫିତା କାଟି ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟୁ ଶିବିରର ଶୁଭାରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ବର୍ହିବିଭାଗ ସହ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ଭେଷଜ,  ନାଶା ଗଳା ଓ କର୍ଣ୍ଣ, ଦନ୍ତ, ଅଣ ସଂକ୍ରାମକ ରୋଗ, ଆୟୂଷ, କୁଷ୍ଠ ରୋଗ, ଯକ୍ଷ୍ମା ରୋଗ ଆଦି ପାଇଁ ସ୍ୱାସ୍ଥ୍ୟୁ ସେବା ପ୍ରଦାନ କରାଯାଇଥିଲା । ବିଶେଷ କରି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଉପଲବ୍ଧ ନଥିବା ଭେଷଜ, ନାସା ଗଳା ଓ କର୍ଣ୍ଣ ଏବଂ ଦନ୍ତ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ସାଧାରଣ ଲୋକଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହା ସହ ସମନ୍ୱିତ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ଯୋଗ ସତ୍ର ଅନୁଷ୍ଠିତ ହୋଇଥିଲା ।

ଭେଷଜ ବିଶେଷଜ୍ଞ ଡ଼ାକ୍ତର ନରେନ୍ଦ୍ର କୁମାର ମେହେର, ଦନ୍ତ ବିଶେଷଜ୍ଞ ଡ଼ାକ୍ତର ଦେବେଶ ପଣ୍ଡା, ନାଶା ଗଳା ଓ କର୍ଣ୍ଣ ବିଶେଷଜ୍ଞ ଡ଼ାକ୍ତର ରଶ୍ମି ରଞ୍ଜନ ହୋତା, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସମୀର ଭୋଇ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ମୀନାକ୍ଷୀ ମହାଲିକ, ଡ଼ାକ୍ତର ମୁକେଶ କୁମାର ମେହେର, ଡ଼ାକ୍ତର ଦେବାଶିଷ ବାଗ, ଆୟୁଷ ଡ଼ାକ୍ତର ବିଶ୍ୱନାଥ ମେହେର, ଆୟୁଷ ଡ଼ାକ୍ତର ଅରୁଣ କୁମାର ଦାଶ, ଯୋଗ ପ୍ରଶିକ୍ଷକ ଅମରେନ୍ଦ୍ର ଷଡ଼ଙ୍ଗୀ ପ୍ରମୂଖ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ I ଶିବିରରେ ମାଗଣା ରୋଗ ନିରୂପଣ ଓ ମାଗଣା ଔଷଧ ସେବା ମଧ୍ୟ ଉପଲବ୍ଧ କରାଯାଇଥିଲା । ଆଜି ଅନୁଷ୍ଠିତ ଆୟୁଷ୍ମାନ ଆରୋଗ୍ୟ ଶିବିରରେ ମୋଟ ୧୮୨ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥଲା । 

ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ସେଠୀଙ୍କ ଯୋଜନା ଓ ତତ୍ୱାବଧାନରେ ଶିବିରଟି ଆୟୋଜିତ ହୋଇଥିବା ବେଳେ ରାଜେନ୍ଦ୍ର ଦେହୁରୀ, ବଟକୃଷ୍ଣ ପଣ୍ଡା, ପରୀତୋଷ ହୋତା, ମିଲୁ ମେହେର ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ମାସ ଶେଷ ଗୁରୁବାରରେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.