ଅଳ୍ପ ଗଳ୍ପ,ପୁରାଣ ପ୍ରସଙ୍ଗରୁ : ଚୈବନ ଋଷୀଙ୍କ ଯୁବାବସ୍ଥା ପ୍ରାପ୍ତ

ଧୁପୁତ୍ର ରାଜା ଶର୍ଯ୍ୟାସି ଦିନେ ତାଙ୍କର ପରମା ସୁନ୍ଦରୀ କନ୍ୟା ‘ସୁକନ୍ୟା’ ଙ୍କ ସାଙ୍ଗରେ ବଣରେ ବୁଲୁ ବୁଲୁ ଚୈବନ ଋଷିଙ୍କ ଅାଶ୍ରମରେ ପହଞ୍ଚିଲେ । ସୁକନ୍ୟା ସଖିମାନଙ୍କ ସହିତ ବନ ଭିତରେ ନାନା ପ୍ରକାର ଗଛଲତା ଦେଖି ଖୁସି ହେଲେ । ସେ ଗୋଟିଏ ସ୍ଥାନରେ ଉଚ୍ଚା ମାଟି ଦେଖି କଣ୍ଟାରେ ଫୋଡିଦେଲେ । ସେଥିରୁ ରକ୍ତ ଝରିଲା । ସେହି ସମୟରେ ରାଜାଙ୍କ ସୈନ୍ୟ ସାମନ୍ତଙ୍କ ମଳମୁତ୍ର ବନ୍ଦ ହୋଇଯିବା ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ । କାଳେ ସୈନିକ ମାନଙ୍କର ର୍ଦୁବ୍ୟବହାରରୁ ଚୈବନ ଋଷି ଅସନ୍ତୁଷ୍ଟ ହେଲେ ବୋଳି ସେ ଭାବିଲେ । ଏହି ସମୟରେ ସୁକନ୍ୟା ଡରି ଡରି କହିଲା, ମୁଁ ଅପରାଧ କରିଛି । ମୁଁ ଦୁଇଟି ଜ୍ୟୋତିରୁ ଗୋଟାକୁ କଣ୍ଟାରେ ଫୋଡି ଦେଇଛି । ଏହା ଶୁଣି ରାଜା ଶଙ୍କିତ ହେଲେ, ପ୍ରକୃତରେ ସୁକନ୍ୟା ଅଜାଣତରେ ଚୈବନ ଋଷିଙ୍କ ଗୋଟିଏ ଆଖି ଫୋଡି ଦେଇଥିଲା ।

ରାଜା ଶର୍ଯ୍ୟାସି କନ୍ୟା ସୁକନ୍ୟାଙ୍କୁ ଚୈବନ ଋଷିଙ୍କୁ ସମର୍ପଣ କରି ରାଜଧାନୀ ଅଭିମୂଖେ ପ୍ରସ୍ଥାନ କଲେ । ଏହାପରେ ସୁକନ୍ୟା ଚୈବନ ଋଷିଙ୍କୁ ପତି ରୂପେ ଗ୍ରହଣ କରି ତାଙ୍କର ସେବା ସୁଶୃଷା କରିବାକୁ ଲାଗିଲେ ଓ ତାଙ୍କୁ ଖୁସି କରିବାକୁ ଚେଷ୍ଟା କଲେ ।କିଛି ଦିନ ପରେ ଅଶ୍ବିନୀ କୁମାର ତାଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଚୈବନ ଋଷି ସେମାନଙ୍କ ଯଥାଚିତ ସ୍ବାଗତ କଲେ ଏବଂ ପ୍ରାର୍ଥନା କଲେ ଯେ, ଆପଣ ଦୁହେଁ ମୋତେ ଯୁବାବସ୍ଥା ପ୍ରଦାନ କରନ୍ତୁ ଓ ମୋର ରୂପ ସ୍ବାସ୍ଥ୍ୟ ଏପରି କରିଦିଅନ୍ତୁ ଯେ ଋପସୀ ମାନେ ମୋତେ ଦେଖି ମୁଗ୍ଧ ହେବେ । ପୁଣି ଋଷି କହିଲେ ମୁଁ ଆପଣ ମାନଙ୍କୁ ସୋମରସ ପାନ କରାଇବି ।

ବୈଦ୍ୟ ଅଶ୍ବିନୀ କୁମାର କହିଲେ ଆପଣ ସିଦ୍ଧ ମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଏହି କୁଣ୍ଡରେ ସ୍ନାନ କରନ୍ତୁ । ଚୈବନ ଋଷି ଅତ୍ୟନ୍ତ ବୃଦ୍ଧ ହୋଇଯାଇଥିଲେ ସେ ସେହି ସ୍ନାନ କୁଣ୍ଡରେ ପ୍ରବେଶ କଲେ । ସେହି ସମୟରେ ସେହି କୁଣ୍ଡରୁ ତିନିଜଣ ପୁରୁଷ ବାହାରିଲେ । ସେମାନେ ପଦ୍ମମାଳ, କୁଣ୍ଡଳ ଓ ସୁନ୍ଦର ବସ୍ତ୍ରରେ ଶୋଭିତ ଥିଲେ । ସେମାନଙ୍କ ଋପ ଦେବତା ମାନଙ୍କ ପରି ଥିଲା ଓ ସେମାନେ ଦେଖିବାକୁ ଏକାପରି ଲାଗୁଥିଲେ । ସେମାନଙ୍କ ମଧ୍ୟରୁ କିଏ ତାଙ୍କର ସ୍ବାମୀ ଚିହ୍ନି ନପାରି ସୁକନ୍ୟା ଅଶ୍ବିନ କୁମାର ଦ୍ବୟଙ୍କ ଶରଣ ପସିଲେ । ତାଙ୍କର ପତି ଭକ୍ତି ଦେଖି ଅଶ୍ବିନ କୁମାର ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ଏବଂ ତାଙ୍କ ସ୍ବାମୀ କିଏ କହିଦେଇ ସ୍ବର୍ଗ ପ୍ରସ୍ଥାନ କଲେ । ଋଷି ଯୁବାବସ୍ଥା ପାଇ ଅତି ଖୁସି ହେଲେ । ସୁକନ୍ୟା ଚୈବନ ଋଷିଙ୍କ ସାଧନାରେ ସାହାଯ୍ୟ କରି ତାଙ୍କ ମନ କିଣିନେଲେ ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.