ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ଅନେକ ସ୍ଥାନରେ ଗଛ ମଧ୍ୟ୍ୟ ଭାଙ୍ଗିପଡିଛି। ଲଗାଣ ବର୍ଷାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଲୋକେ।
ତେବେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଥୁଆଙ୍ଗପଦର ଗାଁର ଗୌର ନାଏକଙ୍କ ଘର ଭାଙ୍ଗିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ। ଦିନ ତମାମ ତୁହାକୁ ତୁହା ବର୍ଷା ସମେତ ପବନ ଲାଗିରହି ଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗିଛି। ସେହିପରି ବିଶ୍ଵନାଥପୁର ମୁଖ୍ୟ ରାସ୍ତା କଡ଼ରେଥିବା ବିରାଟ ନୀଳଗିରି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯାନବାହାନ ଯାତାୟତ ଠପ ହୋଇଛି।
ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ପରିସରରେ ଥିବା ଏହି ନୀଳଗିରି ଗଛ ଭାଙ୍ଗିବା ପରେ ପାଶ୍ୱର୍ରେ ଥିବା ହୋଟେଲ, ମଟର ସାଇକେଲ ଗ୍ୟାରେଜ ଓ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡିଯିବାରୁ ଗ୍ୟାରେଜରେ ଥିବା ମଟରସାଇକେ ଚୁରମାର ହୋଇ ଯାଇଛି। ହୋଟେଲ ମାଳିକ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡ଼ିଥିବାବେଳେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
ଗଛ ପଡ଼ି ଯିବାପରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ଼ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବାରୁ ଅଗ୍ନିଶମ ବାହିନୀଙ୍କୁ ଘର ମାଲିକ ଗଛ କାଟିବାକୁ ମନା କରିଥିଲେ। ମୋର କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଗଛ କାଟି ପାରିବେନାହିଁ କହିବାରୁ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଓ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କଲା ପରେ ସ୍ଥିତି ସ୍ଵଭାବିକ ହୋଇଥିଲା।