ଦୁବାଇରେ ନୂଆଁଖାଇ ଭେଟଘାଟ: କମାଲ ଦେଖାଇଲେ ଶାଶ୍ଵତ ଓ ଅର୍ଚ୍ଚନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଦେଶ ମାଟିରେ ନୂଆଁଖାଇର ମହକ। ପଶ୍ଚିମ ଓଡ଼ିଶାରେ ସେପ୍ଟେମ୍ବର ୮ରେ ନୂଆଁଖାଇ ପାଳନ ହୋଇଥିବା ବେଳେ ସୁଦୂର ଦୁବାଇରେ “ନୂଆଁଖାଇ ପରିବାର ୟୁଏଇ” ପକ୍ଷରୁ ମଧ୍ୟ ଖୁବ ଧୁମଧାମରେ ନୂଆଁଖାଇ ପାଳନ ହୋଇଯାଇଛି। ୟୁଏଇରେ ଏକକ ନୂଆଁଖାଇ ପାଳନର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ନୂଆଁଖାଇ ଭେଟଘାଟର ଚଳିତ ୧୦ମ ବର୍ଷ। ଦୁବାଇ ସ୍ଥିତ ‘ଏସଇଇ ଇନଷ୍ଟିଚ୍ୟୁଟ’ ରେ ସବୁଠୁ ବଡ଼ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାରତ ବାହାରେ ଆୟୋଜିତ ହେଉଥିବା ନୂଆଁଖାଇ ଭେଟଘାଟର ଏହା ସବୁଠୁ ବଡ଼ ଆୟୋଜନ। ନୂଆଁଖାଇ ୨୦୨୪ ପାଳନ ଅବସରରେ ନିଜ ମାଟିର ଉତ୍ସବକୁ ସମସ୍ତେ ଖୁସିର ସହ ପାଳନ କରିଛନ୍ତି। ୟୁଏଇର କୋଣ ଅନୁକୋଣରେ ରହୁଥିବା ପ୍ରାୟ ୫ଶହରୁ ୬ଶହ ନୂଆଁଖାଇ ପରିବାରର ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦୁବାଇ ସ୍ଥିତ ଭାରତୀୟ କୋନ୍ସୁଲ ଜେନେରାଲ ଶ୍ରୀ ସତୀଶ କୁମାର ଶିୱନ। ଦୁବାଇରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସ୍ଵତନ୍ତ୍ର ଅତିଥିମାନେ ପହଞ୍ଚିଥିବା ବେଳେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଗୀତିକାର ଓ ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଓ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ବେଳେ ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଦେଇଥିଲା। ସମ୍ବଲପୁରୀ ନାଚ ଗୀତର ଆସର ଜମିଥିଲା। ଯାହାକୁ ସଭିଏଁ ମନଭରି ଉପଭୋଗ କରିଛନ୍ତି। ବାଲୁକା କଳାରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ କଳାର ନିଦର୍ଶନ ସମସ୍ତଙ୍କ ମନ ଜିଣିଛି। ଏହା ସହ ସୁଦାମଙ୍କୁ ଜୁହାର ସମ୍ମାନ ୟୁଏଇରେ ସମ୍ମାନିତ କରାଯାଇଛି। ଏଥିପାଇଁ ସେ ନୂଆଁଖାଇ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସବୁବେଳେ ପ୍ରୟାସ କରି ଆସୁଥିବା ନୂଆଁଖାଇ ପରିବାର ୟୁଏଇ ଏଥି ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର କଳାକାରଙ୍କୁ ଅତିଥି କରାଯାଇଥିବା ସହ ତାଙ୍କୁ ସମ୍ମାନିତ କରାଯାଇଛି। ନୂଆଁଖାଇ ଆସିଲେ ସଭିଙ୍କ ମୁଁହରେ ଥାଏ ଗୋଟିଏ କଥା ‘ନୂଆଁ ଖାଇମା, ନୂଆଁ ପିନ୍ଧମା’ ସେଥିପାଇଁ ତ ଜନ୍ମମାଟି ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି। ନୂଆଁଖାଇ ପାଳନ ଅବସରରେ ପ୍ରଥମେ ମାଆ ସମଲେଇଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଲଗାଇ ସଭିଏଁ ଏକାଠି ନବାନ୍ନ ଖାଇଛନ୍ତି। ଆଉ ସଭିଏଁ ସମ୍ବଲପୁରୀ ପୋଷାକ ପିନ୍ଧି ଏକାଠି ପାଳନ କରିଛନ୍ତି ନୂଆଁଖାଇ। କୁନି ପିଲା ଠାରୁ ଆରମ୍ଭ କରି ମହିଳା ମାନେ ସମସ୍ତେ ସମ୍ବଲପୁରୀ ନାଚରେ ମସଗୁଲ ହୋଇଥିଲେ। ଏହି ଅବସରରେ ଆବୁଧାବୀରୁ ଓଷା (OSA)ର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁରୀ ପୋଷାକ ପରିଧାନ କରି ଫ୍ୟାଶନ ସୋ ପ୍ରଦର୍ଶନ କରିଥିଲେ। ୟୁଏଇରେ ନୂଆଁଖାଇ ପାଳନର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମରଣିକା ବି ଉନ୍ମୋଚନ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.