ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଆ ବାର୍ତ୍ତା ଏମ୍.ଡି. ସୁନିଲ କୁମାର ଅଗ୍ରୱାଲଙ୍କ ଦହଲ ସ୍ଥିତ ପ୍ରମୋଦ ଉଦ୍ୟାନରେ ଫୁଟିଥିବା ଦୁର୍ଲଭ ବ୍ରହ୍ମକମଳକୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗି କରାଯାଇଛି। ଶନିବାର ରାତିରେ ତିନୋଟି ବ୍ରହ୍ମକମଳ ଫୁଟିଥିଲା ଯାହାକୁ ରବିବାର ସକାଳୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସମର୍ପିତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ପୁଷ୍ପମାନଙ୍କ ମଧ୍ୟରେ ବ୍ରହ୍ମକମଳ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ଏହି ଦୁର୍ଲଭ ପୁଷ୍ପର ମୂଳ ଉତ୍ପତ୍ତିସ୍ଥଳ ହିମାଳୟର ତରାଇ ଅଞ୍ଚଳ ହୋଇଥିଲେହେଁ ପରବର୍ତ୍ତୀ ସମୟରେ ଚାଇନାର ଦକ୍ଷିଣପୂର୍ବ ଅଞ୍ଚଳ, ନେପାଳ, ଭୁଟାନ, ମିଆଁମାର ପାକିସ୍ତାନ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ବ୍ୟାପିଥିଲା। ଉତ୍ତରାଖଣ୍ଡକୁ ବାଦଦେଲେ ଏହା ଅରୁଣାଞ୍ଚଳ ପ୍ରଦେଶ, ସିକିମ, ହିମାଚଳପ୍ରଦେଶ ଓ କାଶ୍ମୀରରେ ବହୁଳ ପରିମାଣରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହାକୁ ଓଡ଼ିଶାର ଅନେକ ଲୋକ ଶ୍ରଦ୍ଧା ପୂର୍ବକ ନିଜ ବାଡ଼ି ବଗିଚାରେ ଲଗାଉଥିବା ଦେଖିବାକୁ ମିଳିଥାଏ। ଏହି ଫୁଲର ବିଶେଷତ୍ୱ ଏହା କେବଳ ବର୍ଷରେ ଜୁଲାଇରୁ ସେପ୍ଟେମ୍ବର ମାସରେ ଥରେମାତ୍ର ମଧ୍ୟରାତ୍ରିରେ ଫୁଟିଥାଏ ତେବେ ପ୍ରଜାତିଭେଦରେ, ଏହାର ଫୁଲ ଆସିବା ସମୟ ଭିନ୍ନ ଭିନ୍ନ ହୋଇଥାଏ। ଏହା କଢିରୁ ସଂପୂର୍ଣ୍ଣ ଫୁଟିବା ପାଇଁ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ ସମୟ ନେଇଥାଏ। ଅପରୂପ ତାରକାକୃତି ଫୁଲଟି ପ୍ରଷ୍ପୁଟିତ ହେବାମାତ୍ରେ ଏହାର ମହମହ ବାସ୍ନା ଚତୁର୍ଦ୍ଦିଗକୁ ବିଛୁରିତ ହୁଏ। ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ମନାଯାଏ। ପ୍ରଷ୍ପୁଟିତ ପୁଷ୍ପକୁ ଦେଖି, କୌଣସି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ତେବେ ଏହି ଫୁଲ ସୂର୍ଯ୍ୟୋଦୟ ପୂର୍ବରୁ ମଉଳି ଯାଇଥାଏ।