ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ପ୍ରତିବର୍ଷ ଖଣ୍ଡାବସା ମୂଳାଷ୍ଟମୀ ର ଆଶ୍ୱିନ ମାସର ରାତ୍ରି ରେ ପାଳନ କରାଯାଏ। ମନ୍ଦିର ଭିତରେ ଦେବୀଙ୍କର ପ୍ରତିମା ସମ୍ମୁଖରେ ପାଟଖଣ୍ଡାକୁ ଚାଉଳ ପୁଞ୍ଜିରେ ବସାଯାଏ (ସ୍ଥାପନ କରାଯାଏ)। ତେଣୁ ଏହି ପର୍ବର ନାମ ଖଣ୍ଡାବସା । ଏହି ଚାଉଳ ସମୂହ ଅକ୍ଷୁର୍ଣ୍ଣ ଓ ଅଭଙ୍ଗା । କଳାହାଣ୍ଡି ମହାରାଜା ଏହାର ମୁଖ୍ୟ ପୁରୋଧା। ମହାରାଜଙ୍କୁ ଘୁମୁରା ବାଦ୍ୟ ସହ ବିଭିନ୍ନ ବାଦ୍ୟବାଜଣା ବଜାଇ ଡାକବଙ୍ଗଳାକୁ ପାଛୋଟି ଅଣାଯାଏ। ଦେବୀଙ୍କ ମନ୍ଦିରରୁ ପୁଝାରୀ ପାଟଣ୍ଡା ଓ ସଙ୍କୁଆରୀ ଅନ୍ୟ ଏକ ଖଣ୍ଡାଧରି ଡାକବଙ୍ଗଳାକୁ ଯାଇଥାଆନ୍ତି। ତାଙ୍କ ସହିତ ଘୁମୁରା, ଢୋଲ, ନିଶାନ, ମହୁରୀ ଓ ବିଭିନ୍ନ ଲୋକନୃତ୍ୟ ସାମିଲ ହୋଇଥାନ୍ତି। “ଜୟ ମାଁ ଲଙ୍କେଶ୍ଵରୀ” ଧ୍ୱନିରେ ସହରଟି ପ୍ରକମ୍ପିତ ହୋଇଉଠେ। ଡାକବଙ୍ଗଳା ପ୍ରାଙ୍ଗଣରେ ଖଣ୍ଡା ଦ୍ଵୟକୁ ମାର୍ଜନ କରାଯାଏ ଓ ପୂଜା କରାଯାଏ। ପାଟଖଣ୍ଡାକୁ ମନ୍ଦାରଫୁଲରେ ସଜ୍ଜିତ କରାଯାଏ। ବାହୁକ ନୂତନ ବସ୍ତ୍ର ପରିଧାନ କରି ଦେବୀଙ୍କ ପାଟଖଣ୍ଡାର ସମ୍ମୁଖ ଭାବରେ ଥାଇ ମୁଖରେ ହାତ ଧାରି ଭୟଙ୍କର ଶବ୍ଦରେ ପାଟଖଣ୍ଡାରେ ଧାରେ ଧାରେ ବାଟ କଢାଇ ନିଅନ୍ତି। ଏହି ଶୋଭାଯାତ୍ରା ଅତ୍ୟନ୍ତ ଚିତାକର୍ଷକ। ମାନସିକ ଧାରୀଙ୍କ ବୋଦାବଳି ଦିଆଯାଏ। ପରେ ଦେବୀଙ୍କ ଆଳତୀ ଦର୍ଶନ କାର୍ଯ୍ୟ ସଂପନ୍ନ କରାଯାଏ।
ଚାରିଦିଗ ଦେବତା ଓ ଭୈରବ ଦେବତାଙ୍କ ପୂଜା କରାଯାଏ। ଏହାପରେ ବୁଢାରଜା ଦେବତାଙ୍କ ପୂଜା କରାଯାଏ। ଖଣ୍ଡାବସା ଅବସରରେ ସମସ୍ତ ପାର୍ଶ୍ଵଦେବାଦେବୀଙ୍କ ମଧ୍ୟ ପୂଜା ଆରାଧନା ହୁଏ । ଖଣ୍ଡାବସା ରାତି ରେ ମହକି ଉଠେ ଓ ହସି ଉଠେ ଜୁନାଗଡ଼ ସହର। ରାତି ତମାମ ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ମୁଖ୍ୟତଃ ଦେବୀଙ୍କର ପ୍ରିୟବାଦ୍ୟ ଘୁମୁରା ପ୍ରତିଯୋଗୀତାରେ କମ୍ପି ଉଠେ ସହର। ତତ୍ ସଙ୍ଗେ ସଙ୍ଗେ ସୁଆଙ୍ଗ, ଗୀତିନାଟ୍ୟ, କୀର୍ତ୍ତନ ପ୍ରଦର୍ଶନର ସୁବ୍ୟବସ୍ଥା ରହିଥାଏ। ଅଗଣିତ ଦର୍ଶକ ଦେବୀଙ୍କ ଯାତ୍ରା ଉପଭୋଗ କରିବା ସଂଙ୍ଗେ ସଂଙ୍ଗେ ଆଶୀର୍ବାଦ କାମନା କରିଥାନ୍ତି। ପାଟଖଣ୍ଡା ମନ୍ଦିର ଦ୍ଵାରଦେଶରେ ଉପନୀତ ହେଲେ, ପୂଜକ ପୂଜାର୍ଚ୍ଚନା କରି ଖଣ୍ଡା ଓ ମହାରାଜାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି। ମହାରାଜା ମନ୍ଦିର ଭିତରେ ପ୍ରବେଶ କରନ୍ତି । ପୂଜା ନିମିତ୍ତ ଷୋଡ଼ସ କଳସ ସ୍ଥାପନ କରାଯାଇଥାଏ ଓ ପଣ୍ଡିତ ମାନଙ୍କୁ ବରଣ କରାଯାଇଥାଏ। ଦେବୀଙ୍କ ଖଣ୍ଡା ଦ୍ଵୟକୁ ଦକ୍ଷିଣ ଓ ବାମ ପାର୍ଶ୍ଵରେ ସଜ୍ଜିତ କରାଯାଇଥିବା ଚାଉଳର ପୁଞ୍ଜିରେ ଶୁଭ ଲଗ୍ନରେ ବସାଇ ଦିଅନ୍ତି (ସ୍ଥାପନ କରନ୍ତି)। ଏହାପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଏ। ଶୁଦ୍ଧପୂତ ସହକାରେ ଗାୟତ୍ରୀ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଏ। ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳୀ ହୁଏ। ପରେ ନୈବେଦ୍ୟ ଅର୍ପଣ କରାଯାଏ। ପୁଝାରୀ ପାଟଗଡ଼ରା ପଶୁ ଓ ମହାପଶୁ (ପୋଢ)ଙ୍କୁ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରୋକ୍ଷଣ କରାଯାଏ ଓ ବଳି ଦିଆଯାଏ। ତତ୍ପରେ ମହାରାଜା ଖଣ୍ଡାବସ୍ଥା ଦିନ ଉପବାସ ରହି ନୂତନବସ୍ତ୍ର ପରିଧାନ କରିଥାନ୍ତି। ନିଜ ଗଡ଼ ଓ ପ୍ରଜାଙ୍କ ମଙ୍ଗଳ ନିମିତ୍ତ ମାଙ୍କ ପାଦପଦ୍ଶମରେ ରଣାଗତ ହୋଇଥାନ୍ତି ମହାରାଜା।
ଏହି ପର୍ବ ପାଇଁ ପୂଜକ, ପୂଝାରୀ, ସୁଆର, ବୋଉନ୍, ଫୁଲବାଲା, ବାଜାବାଲା, ଘଣ୍ଟୁଆ ଓ ଶଙ୍ଖୁଆ ସଂଶାନୁକ୍ରମେ ସେବାକରି ଆସୁଛନ୍ତି। ମାଁ ଲକେଶ୍ୱରୀଙ୍କ ଦେବାଦେବୀଙ୍କ ପୂଜନୋତ୍ସବ ମୂଳାଷ୍ଟମୀ ରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଭକ୍ତିପୂତ ଭାବରେ, ଆଡ଼ମ୍ବର ସହକାରେ ତଥା ରୀତିନୀତି ଅନୁସାରେ ଚାଲୁରହେ। କହିବାକୁ ଗଲେ ଖଣ୍ଡାବସା ମାଆଙ୍କ ଉଦ୍ଘାଟନୀ ଉତ୍ସବ ଓ ଦଶହରାର ମହାଷ୍ଟମୀ ଉଦ୍ଯାପନୀ ଉତ୍ସବ।