ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦଘାଟନୀ ସମାରୋହରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦାନ କରିଥିଲେ। ଏଥି ସହିତ ବରଣ୍ୟେ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମଞ୍ଚାସୀନ ଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ମଧ୍ୟ ମଞ୍ଚାସୀନ ଥିଲେ। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ଵଳନ ତଥା ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ସଭାରେ ମନ୍ତ୍ରୀ ଡ଼. ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନବଗଠିତ ସରକାରଙ୍କ ପ୍ରତିବଦ୍ଧତା ଓଡିଶା ତଥା ବାଲେଶ୍ୱର ଜିଲ୍ଲାକୁ ବିକାଶର ଜୟ ଯାତ୍ରାରେ ଆଗେଇ ନେଉଛି। ଦେଶ ଓ ରାଜ୍ୟ ବିକାଶର ସ୍ରୋତରେ ବାଲେଶ୍ୱର ଜିଲ୍ଲା ମଧ୍ୟ ବିକାଶର ଶିଢି ଚଢି ଚାଲିଛି। ଜିଲ୍ଲାରେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଜନହିତକର ଯୋଜନା ବିକାଶକୁ ବଳ ଦେଇଛି। ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ଵର ସହ ବିଚାର କରି ଦୃଢ ଅଭିଯୋଗର ସମାଧାନ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଓଡିଶା ସରକାରଙ୍କର ବିଭିନ୍ନ ପଦକ୍ଷେପ ସମସ୍ତଙ୍କୁ ଜାଗ୍ରତ କରିବାରେ ସହାୟକ ହୋଇଛି। ମହିଳା, ଗରିବ, ଯୁବବର୍ଗ, କୃଷକ, ଶ୍ରମିକ, ବୁଣାକାର ଏବଂ କଳାକାରଙ୍କ ଆବଶ୍ୟକତାକୁ ସରକାର ପ୍ରାଥମିକତା ଦେଇ ବିଭିନ୍ନ ସରକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର ମହିଳାମାନଙ୍କ ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ସାଢେ ୫ ଲକ୍ଷରୁ ଅଧିକ ମହିଳା ନିଜର ନାମ ପଞ୍ଜିକରଣ କରିଛନ୍ତି।
ସେହି ଭଳି ମଞ୍ଚାସୀନ ଅତିଥିମାନେ ନିଜ ବକ୍ତବ୍ୟରେ ନାରୀ ସଶକ୍ତିକରଣ ଠାରୁ ଆରମ୍ଭ କରି ଶିଳ୍ପାୟନ, କୃଷି, ସ୍ୱାସ୍ଥ୍ୟ, ଗମନାଗମନ, ଜଳସଚେନ ଏମିତିକି ନିଯୁକ୍ତି କ୍ଷେତ୍ରରେ ସରକାରଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ବାଲେଶ୍ୱର ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡିଶାରେ ଲାଗୁ ହେବ। ଯାହାଫଳରେ ରାଜ୍ୟର ପ୍ରାୟ ଏକ କୋଟି ପରିବାର ଦେଶର ୨୭ ହଜାରରୁ ଉର୍ଦ୍ଧ ହସ୍ପିଟାଲରେ ନିଃଶୁକ୍ଳ ଚିକିତ୍ସାସେବା ପାଇବେ। ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର କରି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷ ଏବଂ ଚାଷୀଙ୍କର ଉନ୍ନତି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧ଶହ ଟଙ୍କାକୁ ବର୍ଦ୍ଧିତ କରାଯାଇଛି। ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷୀଙ୍କୁ ସହାୟତା ଦିଆଯାଉଛି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ମଧ୍ୟ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଅର୍ଥରାଶି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣରେ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଭା ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳାରେ ୨୫ଟି ଷ୍ଟଲରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ପ୍ରଦର୍ଶିତ ହୋଇ ଲୋକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇପାରିଛି l ଏଠାରେ ସୂଚନା ଥାଉ କି, ୨୨ ତାରିଖ ଠୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ବ୍ୟାପୀ ଏହି ବିକାଶ ମେଳା ଚାଲୁ ରହିବ। ଜିଲ୍ଲା ପ୍ରଶାସନ ଅନୁକୂଲ୍ୟରେ କରାଯାଇଥିବା ୨୫ ଗୋଟି ପ୍ରଦର୍ଶନୀ ଷ୍ଟଲରେ ସରକାରଙ୍କ ବିଭିନ୍ନ ଫଳପ୍ରସୂ ଯୋଜନା ଏବଂ ସରକାର ଗଠନର ୧୦୦ ଦିନ ମଧ୍ୟରେ ହୋଇଥିବା ସମସ୍ତ ବିଭାଗର ଉପଲବ୍ଧି ପ୍ରଦର୍ଶିତ କରିବା ସହ ସ୍ଥାନୀୟ ଲୋକକଳା ଓ ସରକାରୀ ଯୋଜନା ବିଷୟବସ୍ତୁ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟା ୦୭.୦୦ ଘଟିକାରୁ ଆୟୋଜିତ ହେବ।





