ରୁପ୍ରାରୋଡରେ ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ

୫୦ ରୁ ଉର୍ଦ୍ଧ୍ୱ ମାନସିକ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ବିଶାଳ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ଅକ୍ଷୟ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଶିବିରକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରାଜେଶ ସାହୁ ଏହାକୁ ଉଦ୍ଘାଟନ କରିଥିଲେ।

ନର୍ଲା ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୋଚ୍ଛାୟତ, ବିପିଏମ ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଡା. ଆବେଶ ମାଝୀ ଓ ଅନ୍ୟ ସମସ୍ତ କର୍ମଚାରୀ ଏହି ଶିବିରଟିକୁ ପରିଚାଳନା କରିଥିଲେ। ଶିବିରରେ ଭାବନୀପାଟଣା ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟର ମାନସିକ ରୋଗ ବିଶେଷଜ୍ଞ ଡା. ଅନନ୍ତଚରଣ ମେହେର, କ୍ଲିନିକାଲ ସାଇକୋଲୋଜିଷ୍ଟ ଅନାୟତ ମହମ୍ମଦ, ସିଆରଏ ରଜନୀ ଚଲାନ, ସାଇକିଆଟ୍ରିକ ନର୍ସ ରୋଜାଲିନ ମଲ୍ଲିକ ପ୍ରମୁଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ମାନସିକ ରୋଗୀଙ୍କର ଚିକିତ୍ସା ଏବଂ ମାଗଣା ଔଷଧ ପ୍ରଦାନ କରିଥିଲେ।

ରୁପ୍ରାରୋଡ ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଏକ ମାଗଣା ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବାରୁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଓ ଷ୍ଟାଫ୍ ଏବଂ ରେଣ୍ଡୋମାଝୀ ଭେଷଜ ମହା ବିଦ୍ୟାଳୟର ମାନସିକ ରୋଗ ବିଶେଷଜ୍ଞ ଓ ଷ୍ଟାଫ ମାନଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.