ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜୋନ୍ ସ୍ତରୀୟ କ୍ରେତା- ବିକ୍ରେତା ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପ ଠାରେ ଜୋନ୍ ସ୍ତରୀୟ କ୍ରେତା- ବିକ୍ରେତା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ସଫଳ ମାଛଚାଷୀ, ଜାଆଁଳ, ଫିଡ଼ ଡିଲର, ପ୍ରୋସେସିଂ ଓ ରପ୍ତାନି ଉଦ୍ୟୋଗୀ ଯୋଗ ଦେଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।

ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରକଳ୍ପ ମୂଲ୍ୟ ୨ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଓ ସର୍ବାଧିକ ୧ କୋଟି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିବ ବୋଲି ସୂଚନା ଦେଇଥିଲେ। ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ବର୍ତ୍ତମାନ ଭାରତୀୟମାନଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଛି ଯାହାଦ୍ୱାରା ଭାରତୀୟ ରପ୍ତାନି ଉଦ୍ୟୋଗୀମାନେ ଲାଭାନ୍ବିତ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ। ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ୟୁକୋ ବ୍ୟାଙ୍କର ଶ୍ରୀ ଅମିତ କୁମାର ଚାଷୀମାନେ କିପରି ବ୍ୟାଙ୍କରୁ ସହଜରେ ଋଣ ନେଇପାରିବେ ସେ ବାବଦରେ ଆଲୋଚନା କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଗ୍ରାମପଞ୍ଚାୟତ ପୋଖରୀ ନିଲାମ ନେଇ ମାଛ ଚାଷୀ ଓ ବାୟୋଫ୍ଲକ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି ବୋଲି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଅଭିଜିତ ପାଢ଼ୀ ଉକ୍ତ ଯୋଜନା ଅନ୍ତର୍ଗତ ମତ୍ସ୍ୟ ବିଭାଗର ସମସ୍ତ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏସ.ଇ.ଏ. ଆଇ ଉପସଭାପତି ଶ୍ରୀ ସଂଗ୍ରାମ ଦାସ ବ୍ଲକ ଟାଇଗର ଚିଙ୍ଗୁଡ଼ି, ଭେକଟି ଆଦି ଚାଷ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ.ପି.ଇ.ଡ଼ି.ଏ ର ଉପନିର୍ଦ୍ଦେଶକ ଶ୍ରୀ ଅର୍ଚ୍ଚିମାନ ଲହରୀ ବାଲେଶ୍ୱର ଜିଲ୍ଲାକୁ ଆକ୍ବାଗୋଲ୍ଡ ମାଇନ୍ ବୋଲି ବର୍ଣ୍ଣନା କରିଥିଲେ ଓ ମୂଲ୍ୟଯୁକ୍ତ ନୂତନ କିସମର ମାଛ ଓ ଚିଙ୍ଗୁଡ଼ି ଚାଷ କରି ରପ୍ତାନି କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ମତ୍ସ୍ୟ ଅଧିକାରୀ ମୟୂରଭଞ୍ଜ ଶ୍ରୀ ଆଲୋକ ନାଥ ଏଫପିଓ ଗଠନ କରି କ୍ଲଷ୍ଟର ପ୍ରଣାଳୀରେ ଚାଷ କରିବାକୁ ସୂଚନା ଦେଇଥିଲେ। ଭଦ୍ରକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଜାନକୀ ବେହେରା ନିଷେଧ ଆଣ୍ଟିବାୟୋଟିକ୍ସ ବ୍ୟବହାର ନ କରିବାକୁ ସୁଚାଇଥିଲେ।

ଜିଲ୍ଲା ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସିଏଚ ପଲ୍ଲବୀ ଡଙ୍ଗା, ଇଞ୍ଜିନ ଓ ଜାଲ ପାଇଁ ଥିବା ଯୋଜନା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବାଲେଶ୍ୱର ଜୋନର ଉପନିର୍ଦ୍ଦେଶକ ଶ୍ରୀ ଦୀପ୍ତି କୁମାର ମହାପାତ୍ର ଉଭୟ ସାମୁଦ୍ରିକ ଓ ମଧୁରଜଳ ସମ୍ପର୍କିତ ଯୋଜନାଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ତପନ କୁମାର ମହାନ୍ତି ପୋଖରୀ ଆଡିରେ ନଡ଼ିଆ, ଆମ୍ବ, ସଜନା ଆଦି ଗଛ ଲଗାଇବାକୁ ଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଘଡେଇ ଭାନାମୀ ଚିଙ୍ଗୁଡ଼ି ଚାଷ ପୋଖରୀ ମାଟି ପାଣି ଗୁଣାବତ୍ତା ଉପରେ ସୂଚନା ଦେଇଥିଲେ। ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ତଥା ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.