ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଆଇସିଆରଓ (ଇକ୍ରୋ) ସହଯୋଗରେ, ବାଲେଶ୍ବରର ସମସ୍ତ ୧୨ଟି ବ୍ଲକର କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନ ଭାବେ ନିୟୋଜିତ କରାଯାଇଥିଲା। ଏହି ଇଣ୍ଟର୍ନ ମାନେ ଏକ ସର୍ବେକ୍ଷଣ ମାଧ୍ୟମରେ ଜିଲ୍ଲାର ୪୮୭୧ ଚାଷୀଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ଛଅମାସ ପୂର୍ବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ଗିରି, ଇକ୍ରୋର ପରାମର୍ଶଦାତା ଶ୍ରୀମତୀ ନନ୍ଦିନୀ ରାୟ ଯୋଗଦେଇ ଅଂଶଗ୍ରହଣ କରିଥିବା ୪୫ ଜଣ କୃଷକମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସାମୟିକ ଆଧୁନିକ କୃଷି ଉତ୍ପାଦନ ପ୍ରଣାଳୀ, ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ବିଭିନ୍ନ ଚାଷ ସମ୍ବନ୍ଧିତ ଯୋଜନା, ସୁବିଧାସୁଯୋଗର ସବିଶେଷ ସୂଚନା ପ୍ରଦାନ କରିଥିଲେ।
ସୂଚନାଯୋଗ୍ଯ, ଇକ୍ରୋ ଅମୃତ ଇଣ୍ଟର୍ନସିପ୍ ପ୍ରୋଗ୍ରାମର ଉଦ୍ଦେଶ୍ୟ ଅନ୍ତର୍ଗତ, ଭୋକେସନାଲ୍ କୌଶଳକୁ ପ୍ରୋତ୍ସାହିତ କରିବା, ଯୁବକ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ଉତ୍ପାଦନ ସମ୍ବନ୍ଧୀୟ ନିଯୁକ୍ତିର ଭିତ୍ତିଭୂମି ଥିବା ବୃତ୍ତିଗତ ଦକ୍ଷତା ସୃଷ୍ଟି କରିବା, କୃଷି ଉତ୍ପାଦନ ସଂପର୍କିତ ସଚେତନତା, କୃଷି ଉତ୍ପାଦନ ବୃଦ୍ଧି ଏବଂ ସ୍ଥାୟୀ ଚାଷ ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି କରିବା, ଉଦ୍ୟୋଗୀ ନେଟୱାର୍କିଂ, ଗ୍ରାମୀଣ ପରିବେଶରେ ଉପଲବ୍ଧ ଉତ୍ସ ଓ ସାମୂହିକ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ଯ ନେଇ ଯୁବ ଉଦ୍ୟୋଗୀଙ୍କ ଏକ ନେଟୱାର୍କ ନିର୍ମାଣ, ଜ୍ଞାନ ଉତ୍ସ ବୃଦ୍ଧି, ଜ୍ଞାନ ଉତ୍ସଗୁଡ଼ିକର ଉନ୍ନତିକରଣ ଏବଂ ଏକ ଗତିଶୀଳ ଯୁବ ଇଣ୍ଟରଫେସ୍ ପ୍ରତିପାଦନ କରିବା ଦିଗରେ କାର୍ଯ୍ୟ କରିବା, ଗ୍ରାମାଞ୍ଚଳରେ ପରିବେଶ ସ୍ଥିରତା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସୁନିଶ୍ଚିତ କରିବା ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଅଧୀନରେ , ବିଶ୍ବବିଦ୍ୟାଳୟର ୧୦ଟି ବିଭିନ୍ନ ବିଭାଗର ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଓରିଏଣ୍ଟେସନ୍ ପ୍ରଦାନ କରା ଯାଇଥିଲା। ଏକ ଇ-ଲର୍ଣ୍ଣିଂ ମଡ୍ୟୁଲ୍ ମାଧ୍ୟମରେ ଚାଷବାସ ସମ୍ବନ୍ଧିତ ଅନଲାଇନ୍ ପାଠ୍ୟକ୍ରମ ଓ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହିତ କୃଷିର ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ, ବିଭିନ୍ନ ପ୍ରକାରର ଚାଷ, ଆୟ ଅଭିବୃଦ୍ଧି, ଏବଂ କୃଷକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସହିତ ସମସ୍ଯା ଗୁଡିକ ବିଷୟରେ ଆଲୋକପାତ କରାଯାଇଥିଲା।
ତଥ୍ୟ ସଂଗ୍ରହ ପାଇଁ ଛାତ୍ରଛାତ୍ରୀମାନେ ସିଧାସଳଖ ୪୮୭୧ କୃଷକଙ୍କ ସହ ବ୍ୟକ୍ତିଗତ ଯୋଗାଯୋଗ କରିଥିଲେ। କୃଷି ବିଶେଷଜ୍ଞଙ୍କ ଦ୍ବାରା ଜୈବିକ ଚାଷ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମ ସ୍ତରୀୟ କୃଷକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଇଣ୍ଟର୍ନସିପ କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୮,୦୦୦ ଟଙ୍କାରର ଇଣ୍ଟର୍ନସିପ୍ ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଥିଲା ଓ ଛଅ ମାସର ଇଣ୍ଟର୍ନସିପ୍ ସାର୍ଟିଫିକେଟ୍ ମଧ୍ଯ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କୃଷକମାନଙ୍କ ବିଭିନ୍ନ ପ୍ରଶ୍ନର ସମାଧାନ କରାଯାଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ହୋଇ ଏହିପରି ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ପପୁଲେସନ ଷ୍ଟଡିଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମୋଆତୁଲା ଆଓ ସଂଚାଳନ କରିଥିଲେ ଓ ବିଭାଗ ମୁଖ୍ଯ ଡ଼କ୍ଟର ଗ୍ରେସ ବି ମୁଣ୍ଡୁ ଇଣ୍ଟର୍ନସିପର ବିବରଣୀ ପ୍ରଦାନ କରିଥିଲେ। ଇକ୍ରୋ ଅମୃତ ଇଣ୍ଟର୍ନସିପ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।