ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାର ଲୋକଙ୍କ ଗମନା ଗମନ ପାଇଁ ସୁବ୍ୟବସ୍ଥା କରୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରା ଯୋଗୁଁ ସ୍ଥାୟୀତ୍ୱ ଉପରେ ଲୋକଙ୍କ ଭରସା ତୁଟୁଛି। ଏମିତି କିଛି ଅସନ୍ତୋଷ ପ୍ରକାଶ ପାଇଛି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଳକ ଦର୍ଲିପଡା ତେନ୍ତୁଲିପଡା ରାସ୍ତାରେ। ମରାମତିର ବର୍ଷକ ମଧ୍ୟରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଯାହା ଫଳରେ ଲୋକେ ଯାତାୟାତ ବେଳେ ଅନେକେ ହଇରାଣ ହରକତ ହେଉଛନ୍ତି। ସୂଚନା ଅନୁସାରେ, ବିଜୁ ଏକ୍ସପ୍ରେସୱେ ଦର୍ଲିପଡା ଛକଠାରୁ ତେନ୍ତୁଳିପଡା ଦେଇ ଡେଙ୍ଗାଗୁଡା ବିଦ୍ୟୁତ୍ ଗ୍ରୀଡ ପର୍ଯ୍ୟନ୍ତ ସଂଯୋଗ ରହିଥିବା ଏହି ରାସ୍ତା ବୋବରିଆ ଦେଇ ୨୬ ନମ୍ବର ଜାତୀୟ ରାଜପଥକୁକୁ ସଂଯୋଗ କରୁଛି। ଏହି ରାସ୍ତାରେ ଦୈନିକ ଶହ ଶହ ଲୋକଙ୍କ ଯାତାୟତ ଲାଗି ରହିଥାଏ। ହେଲେ ରାସ୍ତା ସାରା ବଡ଼ ବଡ଼ ଖଲାଖମା ସୃଷ୍ଟି ହୋଇଥିବାବେଳେ ପୋଖରୀର ଭ୍ରମ ସୃଷ୍ଟି କରିଛି। ଏହି ରାସ୍ତାକୁ ଗତବର୍ଷ ମରାମତି କରାଯାଇଥିଲେ ହେଁ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷକ ମଧ୍ୟରେ ଘସଡ଼ା ହୋଇ ଗଲାଣି। ରାସ୍ତାରେ ଯିବା ଆସିବା କରିବା ସମୟରେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ ହେବି ଲୋଡ୍ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତା ଅବସ୍ଥା ଖରାପ ହୋଇଥିବା ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ଅବସ୍ଥାରେ ସୁଧାର ଆସିବ ବୋଲି କହିଛନ୍ତି।





