ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କଂସେପ୍ଟ ସ୍କୁଲ, କଲିଜିଏଟ ସ୍କୁଲ, ଜୁନିଅର ଉଇଙ୍ଗ, ଡିଗ୍ରୀ କଲେଜ ଏବଂ ହାୟର ସେକେଣ୍ଡାରୀ ସ୍କୁଲରେ ଏହି ପବିତ୍ର ଦିବସଟି ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଣବ କୁମାର ପଣ୍ଡା, ଚିନ୍ମୟ ଗୁରୁ, ଅଞ୍ଜନ କୁମାର ରଣା, ଲୋକନାଥ ଖଡ଼ିକାର, ରମେଶ ମେହେର, ତାପସ ପରିମାଣିକ, ଆର୍ଶୀୟା ସାଏଲା ତଥା ପ୍ରତ୍ୟକ ଉଇଙ୍ଗସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ପ୍ରଥମେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ପୁଷ୍ପ ଅର୍ପଣ କରିଥିଲେ । ପରେ ପରେ ଉକ୍ତ ଦିବସର ମହତ୍ତ୍ୱ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଭବାନୀପାଟଣା ସହର ସ୍ଥିତ ଗାନ୍ଧୀ ଛକ ଠାରେ ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ପରିଚାଳନା ସମିତିର ସଭ୍ୟ ଅବଦୁଲ କାଦିର, ଭବେନ୍ଦ୍ର କୁମାର ପଣ୍ଡା, ରଞ୍ଜିତ ସିଂ, ପ୍ରଣବ କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପ୍ରଗତି କଂସେପ୍ଟ ସ୍କୁଲ ଅନ୍ତର୍ଗତ ଜୁନିଅର ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କଦ୍ୱାରା ସ୍ୱଚ୍ଛ ଭାରତ ଉପରେ ଆଧାରିତ ଏକ ନାଟକ ପ୍ରଦର୍ଶିତ ହୋଇଥିଲା । ପ୍ରଗତି ମହାବିଦ୍ୟାଳୟର ଏନ.ସି.ସି, ଯୁବ ରେଡକ୍ରସ, ଏନ.ଏସ.ଏସର ସ୍ବେଚ୍ଛାସେବୀ ତଥା ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କଦ୍ଵାରା ପ୍ରଗତି ଶିକ୍ଷାନୁଷ୍ଠାନ ପରିସରକୁ ସଫା କରିବା ସହିତ ସରକାରୀ ବସଷ୍ଟାଣ୍ଡ ଏବଂ ଗାନ୍ଧୀଛକ ପରିସରକୁ ସଫା କରାଯାଇଥିଲା ।
ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରିବା ଅବସରରେ ପ୍ରଗତି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ପରିସରର ସ୍ୱଚ୍ଛ କରିବା ସହିତ ସ୍ୱଚ୍ଛ ଭାରତ ମିଶନକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏକ ସୁସ୍ଥ ରାଷ୍ଟ୍ର ଗଠନ କରିବାରେ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ତ୍ୱକୁ ସ୍ମରଣ କରିଥିଲେ । ସମସ୍ତେ ଏକତ୍ର ହୋଇ ସ୍ୱଚ୍ଛ ଭାରତ ମିଶନକୁ ଆଗେଇ ନେଲେ ଭବିଷ୍ୟତରେ ଏକ ଉଜ୍ଜ୍ୱଳ, ସବୁଜ ରାଷ୍ଟ୍ର ଗଠନ କରାଯାଇପାରିବ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।