ଓସାକା ହାଇଦ୍ରାବାଦରେ ପାରମ୍ପରିକ ନୂଆଁଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ ‘ଓସାକା’ ତରଫରୁ ବଂଜାରା ହିଲ୍ସ ସ୍ଥିତ ଆଦିବାସୀ ଭବନଠାରେ ପାରମ୍ପରିକ ନୂଆଁଖାଇ ଭେଟଘାଟ୍ ପାଳିତ ହୋଇଯାଇଛି। ପ୍ରଥମେ ଛତର୍ ସହ ଶୋଭାଯାତ୍ରା ପରେ ଧରତୀ ମାତା ଏବଂ ଇଷ୍ଟଦେବୀ ମା’ ସମଲେଇ, ପାଟଣେଶ୍ବରୀ, ମା’ ମାଣିକେଶ୍ଵରୀ ଏବଂ ମା’ ସୁରେଶ୍ଵରୀଙ୍କର ପୂଜାର୍ଚ୍ଚନା ହୋଇଥିଲା। ପାରମ୍ପରିକ ରୀତିନୀତିରେ ତଳେ ବସି ସମସ୍ତେ ଏକାଠି ନୂଆଁଖାଇ ‘ଚୁରାକୁଁଡା’ ସେବନ ପରେ ଜୁହାର ଭେଟ୍ ହୋଇଥିଲେ। 

Omkar Vasthu
Omkar Vasthu

ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇର ଏକତା ଭଳି ସବୁ ପଶ୍ଚିମ ଓଡ଼ିଶାବାସୀ ଏକଜୁଟ୍ ହୋଇ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ପ୍ରକୃତ ପରମ୍ପରାର ପ୍ରତିଫଳନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ହାଇଦ୍ରାବାଦରେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଥା ସମ୍ଭବ ସହଯୋଗ କରିବେ ବୋଲି ମାନ୍ୟବର ବିଧାୟକ ତାଙ୍କର ନୂଆଁଖାଇ ବାର୍ତ୍ତାରେ ଘୋଷଣା କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ବିଧାୟକ ଶ୍ରୀ ଦାସଙ୍କୁ ଓସାକା ତରଫରୁ ‘ଯୁବ ଆଇକନ୍ ଏବଂ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଯୁବ ନେତା -୨୦୨୪’ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଡା. ଦେବେନ୍ଦ୍ର କୁମାର ସାହୁ , ଇନ୍ଫରମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ବୁର୍ଲା ଇଞ୍ଜିନିୟରିଙ୍ଗ୍ କଲେଜର ପୂର୍ବତନ ଛାତ୍ର ଇଂ ମହେଶ ଅଗ୍ରୱାଲ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମୁଖ୍ଯ ବୈଜ୍ଞାନିକ ଡ. ବି.ପ୍ରଶାନ୍ତ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।  

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ପାଟଣାଗଡ଼ର ସାତ୍ କୁଁଆରୀ ସାଂସ୍କୃତିକ ପରିଷଦ। ଦୁଷ୍ମନ୍ତ ସୁନା, ସଂଗୀତା ରାଉତ, ଟ୍ଵିଙ୍କିଲ ମହାପାତ୍ର, ଭରତ ନାଗ, ମନୋଜ ବାଗ ଏବଂ କରନ୍ ତାଣ୍ଡିଙ୍କର ସମ୍ବଲପୁରୀ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ। ସଂଗୀତ ଆରାଧନାର ନୃତ୍ୟ ତଥା ମନୋଜ ବାଗ୍ ଓ ଖୁସି ମହାରଣାଙ୍କ ମଞ୍ଚ ପରିଚାଳନା ବେଶ୍ ମନଛୁଆଁ ଥିଲା । ହାସ୍ୟ ତଡକା ଶିଶିର ପୁରୋହିତଙ୍କର ବ୍ୟଙ୍ଗ କବିତା ଦର୍ଶକ ବେଶ୍ ଉପଭୋଗ କରିଥିଲେ। ବରିଷ୍ଠ କବି ଭିକାରୀ ମିଶ୍ରଙ୍କ ଲିଖିତ ସମ୍ବଲପୁରୀ/କୋସଲୀ ବହି ‘ଜନ୍ ଖମନ୍’ ଏବଂ ‘ଘନ୍ ଖମନ୍’ ଉନ୍ମୋଚିତ ହୋଇଥିଲା। ପଶ୍ଚିମ ଓଡିଶାର ହସ୍ତତନ୍ତ, ଚାରୁକଳା, ଖାଦ୍ୟ ପରମ୍ପରା ଆଦିକୁ ପ୍ରୋତ୍ସାହନ ପାଇଁ ଓସାକା ତରଫରୁ ‘ହାଟ୍’ର ଆୟୋଜନ କରାଯାଇଥିଲା । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଂ ମଧ୍ଯ ରେମୁଣ୍ଡାର ଶିଳ୍ପୀଶାଢୀର ବୁଣାକାରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପାରମ୍ପରିକ ଖାଦ୍ୟ ପରିବେଷଣ ପାଇଁ ପଶ୍ଚିମ ଓଡିଶାରୁ ଆମନ୍ତ୍ରିତ ରାନ୍ଧୁଣିଆଙ୍କ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ବାଦୁ ଥିଲା। ଲକି ଡ୍ର, କୁଇଜ୍ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ସମ୍ବଲପୁର-ନାନ୍ଦେଡ୍ ଏକ୍ସପ୍ରେସ୍ ଟ୍ରେନକୁ ପ୍ରତ୍ୟେକ ଦିନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ ଉଦ୍ଦେଶ୍ଯରେ ଦସ୍ତଖତ ଅଭିଯାନ କରାଯାଇଥିଲା। ଓସାକାର ସଭାପତି ସୁନୀଲ କୁମାର ଗଡତ୍ଯା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳର ବିକାଶ ପାଇଁ ମିଳିତ ଉଦ୍ୟମ ପାଇଁ ଅନୁରୋଧ କରିଥିଲେ। ଶେଷରେ ଓସାକାର ସାଧାରଣ ସମ୍ପାଦକ ସନ୍ଦୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.