ଖଇରା,୧୩/୭- ଶିକ୍ଷା ନାଁ ରେ ଚାଲିଛି ବେପାର । ଶିକ୍ଷକଙ୍କୁ ସିଧା ସିଧା ଶୁଣାଇ ଦେଉଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସମ୍ପାଦକ । ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଦିଅ ନଚେତ୍ ଚାକିରି ଛାଡିବାକୁ ବାଧ୍ୟକରୁଛନ୍ତି । ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ତର ଔପଦା ବ୍ଲକରେ ଥିବା ପଲ୍ଲିଶ୍ରୀ ସଂସ୍କୃତ ବିଦ୍ଯାପୀଠ ନାମରେ । ଏହି ସଂସ୍କୃତ ବିଦ୍ୟାଳୟ ୧୯୮୫ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ଯ ଏଯାବତ୍ ସରକାରଙ୍କ ଅନୁଦାନ ପାଇନଥିବା ବେଳେ ବେସରକାରୀ ଭାବରେ ଶିକ୍ଷକଙ୍କ ସରକାରୀ ଅନୁଦାନ ପାଇଯିବାର ପ୍ରଲୋଭନ ଦେଖାଇ ନେଉଛନ୍ତି ହଜାର ହଜାର ଟଙ୍କା ।ଦୀର୍ଘ ବର୍ଷ ଧରି ଶିକ୍ଷକ ଭାବରେ କାର୍ଯ୍ଯ କରିବା ପରେ ପୁଣି ଟଙ୍କା ଦେବାକୁ ବାଧ୍ୟ କରନ୍ତି ଆଉ ନଦେଲେ ଚାକିରିରୁ ବିଦାକରିଦେବା ପାଇଁ ବିଭିନ୍ନ ପ୍ରକାର ଧମକ୍ ଦିଅନ୍ତି ବିଦ୍ୟାଳୟର ସଭାପତି, ସମ୍ପାଦକ ଓ ପ୍ରଧାନଶିକ୍ଷକ ବୋଲି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ବିତାଡିତ ଶିକ୍ଷକ ଗଦାଧର ଜେନା । ଘଟଣା ସମ୍ପର୍କରେ ତଦନ୍ତ ପାଇଁ ବାଲେଶ୍ବର ଡିଇଓ ଔପଦା ବିଇଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଔପଦା ବିଇଓ ସମ୍ପୃକ୍ତ ବିଦ୍ଯାଳୟ ପରିଦର୍ଶନ କରି ଗଣମାଧ୍ୟମକୁ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ।
ପଲ୍ଲିଶ୍ରୀ ସଂସ୍କୃତ ବିଦ୍ଯାଳୟରେ ରହିବା ଓ ଖାଇବା ପାଇଁ କୌଣସି ସ୍ବତନ୍ତ୍ର ବ୍ଯବସ୍ତା ନଥିବା ବେଳେ ବାରମ୍ବାର ଶିକ୍ଷକ ଓ କର୍ମଚାରୀ ବଦଳି କରୁଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ଆବଶ୍ଯକ ଶ୍ରେଣୀ ଗୃହ ଏବଂ ଜଳର ବ୍ଯବସ୍ତା ନଥାଇ ସରକାରଙ୍କ ନିୟମକୁ ଫୁ କରି କିପରି ସହସହ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲରେ ରାତ୍ରି ସମୟରେ ରଖାଯାଉଛି ତାହା ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅନ୍ଯପଟେ ବ୍ଲକ ଜନମଙ୍ଗଳ ଅଧିକାରୀ କିନ୍ତୁ ସବୁ ଦେଖି ଚୁପ୍ ।ବାସ୍ତବରେ କୌଣସି ଭିତ୍ତିଭୂମି ନଥାଇ ହଷ୍ଟେଲ ପାଇଁ ଅନୁମତି ଦେଇଛି କିଏ ? ବିଦ୍ୟାଳୟ ଓ ଜନମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ଚାଲିଛି କି ମଧୁଚନ୍ଦ୍ରିକା । ଏନେଇ ଜନମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ହଷ୍ଟେଲପାଇଁ ସେ କୌଣସି ଅନୁମତି ଦେଇନଥିବା ପ୍ରକାଶ କରିଥିବା ବେଳେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ । କିନ୍ତୁ ଅଧିକାରିଙ୍କ ଅଜାଣତରେ କିପରି ହଷ୍ଟେଲ ଚାଲିଛି ତାହା ଜନମଙ୍ଗଳ ଅଧିକାରୀଙ୍କ କାର୍ଯ୍ଯଦକ୍ଷତା ଉପରେ ବିରାଟ ପାରେରୀ ସୃଷ୍ଟି କରିଛି । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ତଦନ୍ତ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା ।
ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ