କମେଗାଁରେ ଫସଲ ଧ୍ୱଂସୁଛନ୍ତି ୩୦ ଟିକିଆ ବଣୁଆ ହାତୀପଲ

ଶୁଣିବାକୁ କେହି ନାହିଁଁ ଚାଷୀର ଗୁହାରୀ, ବିପଦରେ ରହୁଛି କୃଷକଙ୍କ ଜୀବନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର କମେ ଗାଁର ଚାଷୀଙ୍କୁ ଘାରିଛି ହାତୀ ଆତଙ୍କ। ଗତ ଶନିବାରରୁ ଗୋଟିଏ ସପ୍ତାହ ହୋଇଗଲାଣି ଏକ ୩୦ ଟିକିଆ ହାତୀପଲ ଭାନପୁର ଗ୍ରାମ ପଂଚାୟତର କମେ ଗାଁ ଗ୍ରାମରେ ତାଣ୍ଡବ ରଚୁଥିବା ଦେଖିବାକୁ ମିଳିଛି। ଏହା ଆଜିକାର କଥା ନୁହଁ ଗତ ୫ ବର୍ଷ ହୋଇ ଗଲାଣି ଧାନ ପାଚିଗଲେ ବଢୁଛି ହାତୀ ଉପଦ୍ରବ। ଧାନ ପାଚିବା ସମୟ ହୋଇଗଲେ ହାତୀ ଆସି କମେ ଗାଁ ରେ ପହଞ୍ଚି ଯିବା ସହ ଫସଲ ଧ୍ୱଂସୁ ଥିବା ଦେଖିବାକୁ ମିଳୁଛି। ସାରା ରାତି ଦଳ ଦଳ ହୋଇ ହାତୀ ପଲ କମେ ଗାଁ ଧାନ ବିଲ ଗୁଡିକରେ ପଶି ଧାନ ଖାଇଯିବା ସହ ଦଳି ଚକଟି ଧାନ ସବୁ ନଷ୍ଟ କରୁଛନ୍ତି।

ଗତ ଶୁକ୍ରବାର ରାତିରେ ଏହି ୩୦ ଟିକିଆ ହାତୀପଲ କମେ ଜଙ୍ଗଲରୁ ବାଲିବନ୍ଧ ପଦର ଧାନ ବିଲ ଗୁଡିକରେ ପଶି ଚାଷୀ ପୀତବାସ ଖାଡଙ୍ଗା, ବେଣୁଧର ଖାଡଙ୍ଗା, ଗଣେଶ ଖାଡଙ୍ଗା, ପିଙ୍କୁ ଖାଡଙ୍ଗା, ଭବାନୀ ସାହୁ ପ୍ରମୁଖ ଚାଷୀଙ୍କ ସମେତ ୧୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ୧୫ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ ଖାଇଜିବା ସହ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ଏମାନେ ଗରୀବ ଶ୍ରେଣୀର ଚାଷୀ। ଧାର କରଜ କରି ଚାଷ କରିଛନ୍ତି। ସରକାର ଯଦି ଏମାନଙ୍କୁ କ୍ଷୟ କ୍ଷତିର ସହାୟତା ନଦିଅନ୍ତି ତାହେଲେ ଏମାନେ ବଞ୍ଚିବା ମୁସ୍କିଲ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ଗତ ୧୦ ବର୍ଷ ରୁ ଉର୍ଦ୍ଧ୍ବ ହୋଇଗଲାଣି ବଣୁଆ ହାତୀପଲ ନର୍ଲା ଭିତରକୁ ପଶି ଆସି ଫସଲ ଧ୍ୱଂସ କରି ଅନେକ କ୍ଷୟକ୍ଷତି କରିପକାଉଛନ୍ତି । ତୃଣ ଭୋଜି ବନ୍ୟ ଜନ୍ତୁ ମାନେ ସାଧାରଣତଃ ଦିନସାରା ଜଙ୍ଗଲ ମଧ୍ୟରେ ଚରାବୁଲା କରିଥାନ୍ତି ଓ ରାତିରେ ବିଶ୍ରାମ ନେଇଥାନ୍ତି । ହେଲେ ଏହି ବଣୁଆ ଜଙ୍ଗଲି ହାତୀପଲ ତାର ଓଲଟା କରୁଛନ୍ତି । ଦିନସାରା ବିଶ୍ରାମ ନେଇ ରାତିରେ ଧାନ ବିଲରୁ ଧାନସବୁ ଖାଇଯାଉଛନ୍ତି । ଏବଂ ଦଳି ଚକଟି ଅନେକ କ୍ଷୟ କ୍ଷତି କରୁଛନ୍ତି । ନର୍ଲାର ପଡୋଶୀ ବ୍ଲକ୍ ଲାଞ୍ଜିଗଡ ବ୍ଲକ୍ ଅଞ୍ଚଳରେ ଗତ ୧୫ ବର୍ଷ ଆଗରୁ ହାତୀପଲ ଆଡ୍ଡା ଜମେଇ ଆସୁଥିଲେ । ଗତ ୧୦ ବର୍ଷ ତଳେ ନର୍ଲା ମୁହାଁ ହେଲେ ହାତୀପଲ । ଏବେ କ୍ରମେ କ୍ରମେ ସାରା ନର୍ଲା ଅଞ୍ଚଳରେ ଭରି ଗଲେଣି ହାତୀପଲ । ନର୍ଲା ଅଞ୍ଚଳର ଚାଷୀ ମରୁଡି, ବନ୍ୟା, ରୋଗ ପୋକ ଭଳି ସମସ୍ୟା ଗୁଡିକୁ ଆଗରୁ ସମ୍ମୁଖୀନ କରି ଆସିଛନ୍ତି । ହାତୀଙ୍କ ଉପଦ୍ରବରୁ ଫସଲ ବଞ୍ଚାଇବାର କୌଶଳ ବିଷରେ ଅନଭିଜ୍ଞ ଅଟନ୍ତି ଏଠାକାର ଚାଷୀକୁଳ । ଗତ ପାଞ୍ଚ ବର୍ଷ ଆଗରୁ ନର୍ଲା ଉପକଣ୍ଠସ୍ଥ କମର୍ଦ୍ଧା, ଉଲିଗୁଞ୍ଜି,ରେଗଡିମାଲ, ଭଟାଙ୍ଗ୍, ବାଙ୍କେଲ, ଉଲିସିର୍କା ଓ ପାଣିମୁଣ୍ଡା ପ୍ରଭୃତି ଅଞ୍ଚଳର ଚାଷ ନଷ୍ଟ କରୁଥିଲେ ହାତୀପଲ । ବଣୁଆ ହାତୀ ଦାଉରୁ ଚାଷକୁ ରକ୍ଷା କରିବା ପାଇଁ ଚାଷୀ ଫରେଷ୍ଟର, ରେଞ୍ଜର ଏପରିକି ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଲାଭ ମିଳିପାରୁନାହିଁ । ଶହ ଶହ ଏକର ର ଧାନ ଫସଲ ହାତୀପଲ ଖାଇଯିବା ପରେ ଧାନ ସରିଗଲେ ପରିବା ବାଡ ଗୁଡିକ ପଟେ ମୁହାଁଉଛନ୍ତି । ଲୋକେ ଭୟରେ ଆତଙ୍କିତ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଗତ ତିନି ବର୍ଷ ତଳେ ନର୍ଲା ଓ ନର୍ଲା ଉପକଣ୍ଠସ୍ଥ ନର୍ଲା ଲାଞ୍ଜିଗଡ ସୀମାକୁ ଲାଗି ରହିଥିବା ଲାଞ୍ଜିଗଡ ବ୍ଲକ୍ ର କମର୍ଦ୍ଧା, ମୁଣ୍ଡା ଗାଁ, ପାଣିମୁଣ୍ଡା, କାଲଜାଣି ପ୍ରଭୃତି ଅଞ୍ଚଳକୁ ୨୫ ରୁ ୩୦ ଗୋଟି ହାତୀ ରହିଥିବା ଏକ ହାତୀ ପଲ ପଶି ଆସିଥିଲେ । କେବଳ ସେହି ସବୁ ଜଙ୍ଗଲ ଓ ପାହାଡ ଅଞ୍ଚଲରେ ସୀମିର ରହୁଥିଲେ ହାତୀପଲ । ଏବେ ନର୍ଲାର କମେଗାଁ, ବଫଲା, ରୁପ୍ରା, ଗିଗିନା, ଭଟାଖମା, ଫଲସାପଡା, ବାଗପୁର, ରାକ୍ସୀ ପ୍ରଭୃତି ଜଙ୍ଗଲ ବିହିନ ଗ୍ରାମକୁ ମଧ୍ୟ ଧସେଇ ପସି ଫସଲ ନଷ୍ଟ କରୁଥିବା ଚାଷୀ ଅଭିଯୋଗ କରୁଛନ୍ତି । ହାତୀପଲ ଦିନସାରା ପାହାଡ ତଥା ନିକଟସ୍ଥ ଜଙ୍ଗଲରେ ଲୁଚି ରହୁଥିବା ବେଳେ ରାତି ୮ ଘଣ୍ଟାରୁ ଆରମ୍ଭ କରୁଛନ୍ତି ତାଣ୍ଡବ । ଗତ ଦୁଇ ବର୍ଷ ତଳେ ହାତୀ ଘଉଡେଇବାକୁ ଯାଇ ନର୍ଲା ଫରେଷ୍ଟର ଭବାନୀ ନାଏକ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ହାତୀ ତାଙ୍କୁ ଦଳି ଦେବାକୁ ଯାଉଥିବା ବେଳେ ଲୋକଙ୍କ ଚିତ୍କାର ଶୁଣି ହାତୀ ଚାଲିଯାଇଥିଲା । ତଥାପି ଫରେଷ୍ଟର ଶ୍ରୀ ନାଏକଙ୍କ ବାମ ହାତ ଭାଙ୍ଗି ଯାଇଥିଲା ଓ ଡାହାଣ ଜଙ୍ଘରେ ଆଘାତ ଲାଗିଥିଲା । ତାଙ୍କୁ ସଂଜ୍ଞାହିନ ଅବସ୍ତାରେ ଉଦ୍ଧାର କରାଯାଇଥିଲା । ଦୁଇ ମାସ ଧରି ଫରେଷ୍ଟର ଶ୍ରୀ ନାଏକ ଭବାନୀପାଟଣା ମେଡିକାଲ ରେ ଚିକିତ୍ସିତ ହୋଇଥିଲେ । ଗତ ବର୍ଷ ୨୦୨୩ ରେ ହାତୀ ଘଉଡାଇବାକୁ ଯାଇ ନର୍ଲା ରେଞ୍ଜର ଶ୍ରୀ ପାଲ ମୃତ୍ୟୁ ବରଣ କରିଥିଲେ।ନର୍ଲାର ଅନ୍ୟଜଣେ ଷ୍ଟାଫ୍ ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇଥିଲେ। ଗୋଟିଏ ପଟେ ହାତୀ ଚାଷୀଙ୍କ ଫସଲ ଧ୍ୱଂସି ଚାଲିଥିବା ବେଳେ ଅନ୍ୟ ପକ୍ଷେ ଅନେକ ସମୟରେ ମଣିଷ ହାତୀ ଆକ୍ରମଣର ଶୀକାର ହେଉଛି ତ କେତେବେଳେ ହାତୀ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ହାତୀ କୁ ବିଦ୍ୟୁତ ଆଘାତରୁ ସୁରକ୍ଷା ଦେବାପାଇଁ ପ୍ରତିଦିନ ସଂଧ୍ୟା ୬ ଘଣ୍ଟାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ନର୍ଲା ଗ୍ରୀଡ ରୁ ଉକ୍ତ ଅଞ୍ଚଳ ଗୁଡିକୁ ବିଦ୍ୟୁତ ବିଛିନ୍ନ କରାଯାଛି ।

ପ୍ରତିଦିନ ୧୨ ରୁ ୧୪ ଘଣ୍ଟା ବିଦ୍ୟୁତ ବିଛିନ୍ନ କରାଯାଉଥିବାରୁ ବିନା ବିଦ୍ୟୁତ ରେ ରାତିସାରା ରହୁଥିବା ଭଟାଙ୍ଗ, ପଟାଙ୍ଗପଡା, ଉଲିସିର୍କା, କମର୍ଦ୍ଧା, ମୁଣ୍ଡାଗାଁ, ଉଲିଗୁଞ୍ଜି ର ଜନସାଧାରଣ ଅନେକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ହାତୀଙ୍କ ଦୌରାତ୍ମ୍ୟ ଯୋଗୁଁ ଫସଲହାନୀ କ୍ଷତି ସହିଥିବା ଚାଷୀ ବନବିଭାଗ,ଆରଆଇ, ତହସିଲଦାର ଙ୍କ ପାଖକୁ ଧାଁଇ ଧାଁଇ ନୟାନ୍ତ ହେଉଥିଲେ ମଧ୍ୟ ଚାଷୀଙ୍କ ଆକୁଳ ନିବେଦନ କେହି ଶୁଣୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଗତ ପାଞ୍ଚ ବର୍ଷ ହୋଇଗଲା ବିଦ୍ୟୁତ ବିଭାଗ ହାତୀ ଚରାବୁଲା କରୁଥିବା ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ ମୁକ୍ତ ତାର ନଦେଇ ଇନସୁଲେଟେଡ ତାର ଦିଆଯିବ ବୋଲି କୁହା ଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ମୁକ୍ତ ବିଦ୍ୟୁତ ତାର ରେ ହିଁ କାମ ଚାଲୁଛି । ହାତୀ ମଧ୍ୟ ଖୋଲା ବିଦ୍ୟୁତ ତାର ଲାଗି ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ସରକାର, ପ୍ରଶାସନିକ ଅଧିକାରୀ କାହାରି ମଧ୍ୟ ଦୃଷ୍ଟି ପଡୁ ନଥିବା ବେଳେ କଷ୍ଟ ପାଉଛି ଚାଷୀ ଓ ସାଧାରଣ ଲୋକେ । ନର୍ଲା ଅଞ୍ଚଳରେ କେବେହେବ ଏହାର ସମାଧାନ?? ହାତୀ ଦାଉରୁ କେବେ ମୁକ୍ତି ପାଇବେ ଚାଷୀ??

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.