ଉଦୟ ନାରାୟଣ ଦାସଙ୍କର ପ୍ରଥମ ଉପନ୍ୟାସ ‘ଶ୍ରୀଜଙ୍ଗ’ ହେଲା ଉନ୍ମୋଚିତ : ନିଜ ଗାଁକୁ ନେଇ ଉପନ୍ୟାସ ଲେଖି ଚର୍ଚ୍ଚାରେ ରହିଲେ ଲେଖକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗାଳ୍ପିକ ଉଦୟ ନାରାୟଣ ଦାସଙ୍କ ରଚିତ ଉପନ୍ୟାସ ‘ଶ୍ରୀଜଙ୍ଗ’ ଲୋକାର୍ପିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ସାହିତ୍ୟିକ କମଳାକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋର୍କାପଣ ସମାରୋହରେ ବିଶିଷ୍ଟ ଅତିଥି ଭାବେ ‘ରେବତୀ’ ପତ୍ରିକାର ସମ୍ପାଦିକା ତ‌ଥା ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇ ଶ୍ରୀଜଙ୍ଗ ମାଟିର ସଂଗ୍ରାମକୁ ନେଇ ଲେଖକ ଉଦୟ ନାରାୟଣ ଦାସଙ୍କ ଉପନ୍ୟାସ ରଚନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କବି ଯଶୋଧାରା ଦାସ, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ‘ବହିଘର’ର ମୁଖ୍ୟ କବି ଅଭୟ ଦାସ, ସାମାଜିକ କର୍ମୀ ପ୍ରସନ୍ନ ପାତ୍ର, ତପନ ବିଶ୍ବାଳ, ସିମନ ଦାସ ମହାପାତ୍ର, ଭାରତୀ ପଣ୍ଡା ଯୋଗ ଦେଇ ସ୍ବାଧୀନତା ଆନ୍ଦୋଳନ ଓ ଶ୍ରୀଜଙ୍ଗର ଗୌରବପୂର୍ଣ୍ଣ ଗାଥା ଉପରେ ବିଭିନ୍ନ ଟିପ୍ପଣୀ ରଖିଥିଲେ। ପୁସ୍ତକର ରଚୟିତା ଉଦୟ ନାରାଯଣ ଦାସ ଲେଖକୀୟ ଅଭିବ୍ୟକ୍ତି ଜରିଆରେ ଶ୍ରୀଜଙ୍ଗ ଓ ଏହାର ସଂଗ୍ରାମକୁ ନେଇ ପୁସ୍ତକ ରଚନା କରିବାର ପ୍ରେକ୍ଷାପଟ ଓ ନିଜର ଇଚ୍ଛା ଶକ୍ତି ଉପରେ ସମ୍ୟକ୍ ସୂଚନା ଦେଇଥିଲେ। ସମୀକ୍ଷକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଶ୍ରୀଜଙ୍ଗ ପୁସ୍ତକ ଉପରେ ବିଷଦ ଆଲୋଚନା କରିବା ସହିତ ସହପାଠୀ ଉଦୟ ନାରାୟଣ ଦାସଙ୍କୁ ନେଇ ଅନେକ ଅଜ୍ଞାତ କଥା କହିଥିଲେ। କବି ମଧୁସୂଦନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାଷବେଳେ ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ ତଥା ପୁସ୍ତକର ପ୍ରକାଶକ ଡକ୍ଟର କବି କାଳୀପଦ ପଣ୍ଡା ନିଜ କଥା ରଖିଥିଲେ। ମଧ୍ୟାନ୍ତରରେ ଅତିଥିଙ୍କ ପକ୍ଷରୁ ପୁସ୍ତକ ଲୋକାର୍ପିତ ହୋଇଥିଲା। ସ୍ବାଧୀନତା ଆନ୍ଦୋଳନରେ ଶ୍ରୀଜଙ୍ଗର ଭୂମିକା, ସଂଗ୍ରାମୀ ଭିକାରୀ ମଳିକ, ଭୋଳାନାଥ ଦାଶ ଓ ବିଦ୍ୟାଧର ରଥଙ୍କ ସମେତ ବହୁ ସଂଗ୍ରାମୀଙ୍କ କାରାବରଣ, ପିଟୁଣି ଟିକସ ନେଇ ଶ୍ରୀଜଙ୍ଗ ମାଟିରେ ବ୍ରିଟିଶ ସେନା ବିରୋଧରେ ସଂଗ୍ରାମ, ଶ୍ରୀଜଙ୍ଗର ସ୍ମୃତି ସ୍ତମ୍ଭ, ସଂଗ୍ରାମୀ ସ୍ମାରକୀ ଭବନ ଉପରେ ସାହିତ୍ୟିକ କମଳକାନ୍ତ ଦାଶ ତାଙ୍କ ଅଧ୍ୟକ୍ଷତା ବକ୍ତବ୍ୟରେ ବିଶଦ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀଜଙ୍ଗର ବାସିନ୍ଦା ରବିନାରାୟଣ ରଥ, ପ୍ରସନ୍ନ ପାଢ଼ୀ, ବସନ୍ତ ମହାନ୍ତି ସମେତ ‘ଧ୍ବନି ପ୍ରତିଧ୍ବନି’ ସମ୍ବାଦପତ୍ରର କାର୍ଯ୍ୟନିର୍ବାହୀ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସମ୍ପାଦିକା ସୈରିନ୍ଧ୍ରୀ ସାହୁ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ‘ଚନ୍ଦ୍ରଭାଗା’ର ମୁଖ୍ୟ କବି ଶ୍ରୀଦେବ, ଗାଳ୍ପିକା ଦେବଯାନୀ ଦାସ, କବି ଶୁଭଶ୍ରୀ ଦାଶ, ଗାଳ୍ପିକ ନିବାରଣ ଜେନା, ଅରୁଣା ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.