ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରୁଛି ସୁରଭି
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥନୀତି ଅଧ୍ୟାପକ ସୁବ୍ରତ କୁମାର ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ଦେଶଗଠନର ମୁଖ୍ୟ ପୁରୋଧା ଏମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ଓ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବାକୁ ଏକ ଉତ୍ତମ କାର୍ଯ୍ୟକ୍ରମ ହେଉଛି ସୁରଭି ବୋଲି ମତବ୍ୟକ୍ତ କରିଥିଲେ। ଉଦଘାଟନୀ ଉତ୍ସବରେ ଏବିଇଓ ତୋଫାନ ମାଝୀ, ଏବିଇଓ ଆଲୋରାଣୀ ହଳଦାର, ତାଲିମ ଦାତା ତଥା ଦଳ ମୁଖ୍ୟ ସଂଜୀବ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ ଆଦି ଅନେକ ପ୍ରତିଯୋଗିତାର କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ କ୍ଲଷ୍ଟରର ସିଆରସିସି, ଶିକ୍ଷକ, ଛାତ୍ରଛାତ୍ରୀ ଅଭିଭାବକ ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପରିଚାଳନା କରିଥିବା ବେଳେ ସିଆରସିସି ପ୍ରଶାନ୍ତ ଶବର ଧନ୍ୟବାଦ ଅର୍ପଣ କରିଥିଲେ।