“ପାଠପଢ଼ାରେ ସହଯୋଗ ସର୍ବଶ୍ରେଷ୍ଠ ପୁଣ୍ୟ”

ବିଜମରାରେ ଅମୃତ ପାଠ୍ୟ ସେବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଆଜିର ଛାତ୍ରଛାତ୍ରୀ ଆଗାମୀ କାଲିର ଭବିଷ୍ୟତ। ସେମାନଙ୍କ ପାଠପଢ଼ାରେ ସହଯୋଗ କରିପାରିଲେ ଯେଉଁ ପୁଣ୍ୟ ଅର୍ଜନ ହେବ, ତାହା ସର୍ବଶ୍ରେଷ୍ଠ ଏବଂ ଏଥିପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ‘ଅମୃତ ପାଠ୍ୟ ସେବା’ କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ସ୍ଥିତ ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ନେତାଜୀ ସେବା ସଂଗଠନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଜମରା ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମିଳିତ ଆନୁକୂଲ୍ୟରେ ‘ଅମୃତ ପାଠ୍ୟ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାପତି ସଂଜୀବ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଜମରା ଶାଖା ପରିଚାଳକ ରବିରଞ୍ଜନ ଗମାଙ୍ଗୋ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ଖଗେଶ୍ୱର ମାଝୀ, ସହକାରୀ ଶିକ୍ଷକ ଅରବିନ୍ଦ ହରପାଳ, ଯୁବ ସାମ୍ବାଦିକ ରଜତ ବଂଶଲ, ସମାଜସେବୀ ବ୍ରହ୍ମାନନ୍ଦ ପଣ୍ଡା, ପ୍ରଦ୍ୟୁମ୍ନ ମହାନ୍ତି ଏବଂ ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇ ସଂଗଠନର ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ। ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମାଝୀ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଲଳିତ କୁମାର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବେଦପ୍ରକାଶ ପଣ୍ଡା ଏବଂ ନାଗାର୍ଜୁନ ନାୟକ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ନବମ ଓ ଦଶମ ଶ୍ରେଣୀର ଦଶଜଣ ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀର ଦଶଜଣ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତି, ପୁରାଣ, ସାହିତ୍ୟ, ବିଧି ଓ ପର୍ବପର୍ବାଣି, ବିଜ୍ଞାନ, ଗଣିତ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚର ଆୟୋଜନ କରାଯାଇ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ ଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ କ୍ଷୀରୋଦ ପ୍ରଧାନ ଓ ସ୍ୱେଚ୍ଛାସେବୀ ଯମୁନା ଶବର ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.