ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ ଗାଁର ମହିଳାଙ୍କ ଠାରୁ ୪୦ଲକ୍ଷ ଋଣ ଟଙ୍କା ନେଇ ଜଣେ ଯୁବକ ଫେରାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଠକେଇର ଶିକାର ହୋଇଥିବା ମହିଳାମାନେ ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, କୁମ୍ଭାରୀ ଗାଁର ଏସଏଚଜି ମହିଳାଙ୍କୁ ଗାଁର ଦୀପକ ରଣା ତାଙ୍କୁ ଫାଇନାନ୍ସ ସଂସ୍ଥାରୁ ଋଣ ଉଠାଇଦେବା ପାଇଁ ଅନୁରୋଧ କରିଥିଲା। ଯୁବକ ଜଣକ ଋଣ କିସ୍ତି ପରିଶୋଧ କରିଦେବେ ବୋଲି ସେମାନଙ୍କୁ ବିଶ୍ବାସ ଜନ୍ମାଇଥିଲା। ଯୁବକଙ୍କ କଥାରେ ପଡ଼ି ଏସଏଚଜି ମହିଳା ବିଭିନ୍ନ ଫାଇନାନ୍ସ ସଂସ୍ଥାଠାରୁ ପ୍ରାୟ ୪୦ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଋଣ ଅର୍ଥ ସଂପୃକ୍ତ ଯୁବକ ଜଣକ ନେଇଥିଲେ। ହେଲେ ଋଣ ପରିଶୋଧ କରିବା ବେଳକୁ ବାହାର ରାଜ୍ୟକୁ ଫେରାର ମାରିଥିବା ମହିଳାମାନେ ଜାଣିବାକୁ ପାଇଥିଲେ। ଏବେ ମହିଳାମାନେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆଲିଶା ତାଣ୍ଡି, ଗେଲେଇ ରଣା, କାଞ୍ଚନ ରଣା, ପୂର୍ଣ୍ଣମୀ ରଣା, ଇନ୍ଦୁ ରଣା, ମୁରୁଜ କୁମ୍ଭାର, ଲଳିତା ସାହାଣୀ, ଭୂମି ଭୂଏ, ଚନ୍ଦ୍ରକଳା ତମଲିଆ, ସିନ୍ଧୁ ତମଲିଆ, ଗୀତା ସାମର, ଜଳକ କୁମ୍ଭିରିଆ, ଦଶମୀ ମାଝି, ସଜନା ସାମର, ଭଗବତୀ ତମଲିଆ, ସୁନାରି ଛତ୍ରିଆ, ଶକୁନ୍ତଳା ବାଗ ସମେତ ବହୁ ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି।