ଓଡିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେହେଲି ଗ୍ରାମର ଅଲେଖ ସେନାପତି । ବୟସ ୫୨ ବର୍ଷ । ଜଣେ ଶ୍ରମଜୀବୀ ଭାବରେ କାମ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ହେଲେ ତାଙ୍କର ଭାଗ୍ୟ ବାମ ହେଲା । ୨୦୨୨ ମସିହାରେ ତାଙ୍କୁ ସ୍ପାଇନାଲ କର୍ଡ ଜନିତ ସମସ୍ୟା ଦେଖାଦେଲା । ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଚାଲିବୁଲି ପାରିଲେ ନାହିଁ । ଶଯ୍ୟାଶାୟୀ ହେଲେ । ଏହାପରେ ଛତିଶଗଡର ରାୟପୁର ସ୍ଥିତ ରାମକୃଷ୍ଣ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଲେ । ତାଙ୍କର ସ୍ପାଇନାଲ କର୍ଡରେ ଅସ୍ର୍ତ୍ରୋପଚାର କରାଗଲା । ତଥାପି ସେ ସମ୍ପୂର୍ଣ୍ଣ ଠିକ ହୋଇ ପାରିଲେ ନାହିଁ । ୱାକର ଧରି ଚାଲିଲେ ମଧ୍ୟ ସେ ଆଉ ଆଗଭଳି ସୁସ୍ଥତା ଅନୁଭବ କରିପାରିଲେ ନାହିଁ । ଡାକ୍ତର କହିଲେ ଆଉ ଗୋଟାଏ ଅପରେସନ ହେବ । ଶୀଘ୍ର ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଲେ । ରାୟପୁରରେ ତାଙ୍କର ପ୍ରଥମ ଅପରେସନରେ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଗଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବୀମା ରାଶୀ ସହାୟତାରେ ତାଙ୍କର ଅପରେସନ ହେଲା । ଏବେ ଦ୍ୱିତୀୟ ଅପରେସନ ପାଇଁ ଅଲେକ ଭୁବନେଶ୍ୱର ସ୍ଥିତ ସୋମ ହସପିଟାଲ ସହ ଯୋଗାଯୋଗ କରିଛନ୍ତି । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ବୀମା ରାଶିରୁ ବଳକା ରହିଥିବା ଏକ ଲକ୍ଷ ଟଙ୍କା ବାଦ ତାଙ୍କୁ ଆଉ ୨ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଆଉ ୨ ଲକ୍ଷ ଟଙ୍କା ଯୋଗାଡ କଲେ ହିଁ ତାଙ୍କର ଦ୍ୱିତୀୟ ଅପରେସନ ସମ୍ଭବ ହୋଇ ପାରିବ । ସେ ପୂର୍ବ ଭଳି ପୁଣି ସୁସ୍ଥ ହୋଇପାରିବେ । ଅଲେଖଙ୍କର ୨୧ ବର୍ଷ ବୟସର ଗୋଟିଏ ବୋଲି ପୁଅ ଅଛି। ସେ ପାଠ ପଢୁଥିଲା । ବାପା ରୋଗାକ୍ରାନ୍ତ ହୋଇ ଅପରେସନ ପରେ ମଧ୍ୟ ଅକାମୀ ହୋଇଗଲେ । ଫଳରେ ପୁଅ ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିବାକୁ ପଡିଲା । ପାଠ ପଢାରେ ଡୋରିବନ୍ଧା ହେଲା । ଅଲେଖ ଅନୁସୂଚୀତ ଜାତି ସମ୍ପ୍ରଦାୟର ବ୍ୟକ୍ତି ଅଟନ୍ତି । ଖବର ପାଇ ଅନୁସୂଚିତ ଜାତିର ନେତୃତ୍ୱ ସମାଜସେବୀ ତଥା ସାମ୍ୱାଦିକ ଅଭିରାମ ନନ୍ଦ ସୋମବାର ଅଲେଖଙ୍କ ଘରକୁ ଯାଇ ଅଲେଖ ଓ ତାଙ୍କ ପୁଅ ସହିତ ଆଲୋଚନା କରିବା ପରେ ନିଜ ଫେସବୁକ ସାଇଟ ସୋସିଆଲ ମିଡିଆରେ ଅଲେଖଙ୍କ ସମସ୍ୟା ଓ ଅପରେସନ ପାଇଁ ଅର୍ଥ ବାଧକ ସାଜୁଥିବାରୁ ସହଯୋଗ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରି ଏକ ନିବେଦନ ପତ୍ର ପୋଷ୍ଟ କରିବା ପରେ ଅନେକ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଛନ୍ତି । ଏବେ ଅଲେଖଙ୍କ ଦ୍ୱିତୀୟ ଅପରେସନର ବାଟ ସୁଗମ ହେବା ଭଳି ପ୍ରତୀୟମାନ ହେଉଛି । ଏଣୁ ଅଲେଖ ଆସନ୍ତା କାଲି ଗୁରୁବାର ଭୁବନେଶ୍ୱର ସୋମ ଡାକ୍ତରଖାନାକୁ ଯିବେ ବୋଲି ସୂଚନା ମିଳିଛି । ଦୁଇ ରୁ ତିନିଦିନ ମଧ୍ୟରେ ତାଙ୍କର ଅପରେସନ ହେବ ବୋଲି ଜଣାପଡିଛି । ଯେଉଁ ବଦାନ୍ୟ ବକ୍ତି ମାନେ ତାଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି 9777822279 ମୋବାଇଲ ନମ୍ବରରେ ଯୋଗା ଯୋଗ କରିପାରିବେ ।