ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂସଦର ସାମ୍ୱାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘ ତରଫରୁ ଆଜି ହୋଟେଲ୍ ଭାଗିରଥି ଇନ୍ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡଙ୍କ ସଭାପତିତ୍ବରେ ହୋଇଥିବା ଏହି ସମ୍ମିଳନୀରେ ପୁରାତନ ଛାତ୍ର ସଂଘର ଆବାହକ ଡଃ ଅଜୟ ମିଶ୍ର, ଉପ ସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ଆଇନଜୀବୀ ଶ୍ରୀ ନିମାଞ୍ଚଳ ନାଏକ, ପୁର୍ବତନ ନଗରପାଳ ଶ୍ରୀ ଆଦିତ୍ୟ ନନ୍ଦ, ଶ୍ରୀ ସୁମନ ରଥ, ଶ୍ରୀ ହରଜିନ୍ଦର ସିଂ, ଶ୍ରୀ ମଣ୍ଟୁ ନାଏକ, ଶ୍ରୀ କିର୍ତ୍ତନ ନାଏକ, ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସାହୁ, ଆଦିବାସୀ ନେତା ଶ୍ରୀ ପରମାନନ୍ଦ ମାଝୀଙ୍କ ସମେତ ବହୁ ପୁରାତନ ଅଧ୍ୟାପକ, ବୁଦ୍ଧିଜୀବୀ, ପୂର୍ବତନ ଛାତ୍ର ନେତା ମାନେ ଯୋଗଦେଇ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା, ଅନିୟମିତତା ଏବଂ ଛାତ୍ରଙ୍କ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ଅବଗତ କରିଥିଲେ। ସଂଘ ର ସମ୍ପାଦକ ଭାବରେ ମୁଁ ଯୋଗଦେଇ ବିଶ୍ବବିଦ୍ୟାଳୟର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିବା, ୟୁଜିସି ନିୟମ ଅନୁସାରେ ସଠିକ୍ ସମୟରେ ପରୀକ୍ଷା ନହେବା ଏବଂ ଫଳାଫଳ ପ୍ରକାଶରେ ବିଳମ୍ବ ଘଟିବା, ପରୀକ୍ଷା ନିୟନ୍ତ୍ରଣ ବିଭାଗର ବେପାରୁଆ ମନୋଭାବ ସହ ଛାତ୍ର ଛାତ୍ରୀ ପ୍ରତି ରୁକ୍ଷ ବ୍ୟବହାର, ଏକାଡେମୀକ କାଉନସିଲର ସ୍ଥାଣୁତା ଏବଂ ବୋର୍ଡ ଅଫ୍ ଷ୍ଟଡିଜ ନିୟମ ଅନୁଯାୟୀ ନବସିବା, ସିଣ୍ଡିକେଟ ର କ୍ଷମତାକୁ ଜାଣିଶୁଣି ସଂକୁଚିତ କରାଯିବା, ପିଏଚଡ଼ି ନାମ ପଞ୍ଜିକୃତ ପାଇଁ କଳାହାଣ୍ଡି ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସୁଯୋଗ ନ ଦେବା, ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରୁ ବଞ୍ଚିତ କରିବା, +୨ ଅତିଥି ଅଧ୍ୟାପକଙ୍କୁ ଗତ ଫେବୃଆରୀ ମାସ ଠାରୁ ଏଯାଏଁ ଦରମା ନଦେବା ଆଦି ବ୍ୟତିକ୍ରମ ଓ ଅବହେଳା ପାଇଁ ନିଜେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଉତ୍ତର ଦାୟୀ ବୋଲି ମତବ୍ୟକ୍ତ କରିଥିଲି । ଏପରିକି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘ ତଥା ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସାମିଲ ନ କରିବା ଘଟଣାକୁ ସଂଘ ତରଫରୁ ନିନ୍ଦା କରାଯାଇଛି । ହଷ୍ଟେଲ ମେସ ଅଫ୍ କଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ମାସକର ମେସ ଖର୍ଚ୍ଚ ବାଧ୍ୟ ବାଧକତାରେ ନିଆଯାଉଥିବା ଅଭିଯୋଗ ଆସିଛି। ଏହି ଘଟଣା ଓ ହଷ୍ଟେଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କିରେ ମୁହଁ ଖୋଲିଲେ ପିଲାଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗତ ବର୍ଷ ଉଦଘାଟିତ ମାଗଣା ଓ୍ବାଇଫାଇ ସେବା ପାଇବା ଏବଂ ସ୍ମାର୍ଟ କକ୍ଷରେ ଡିଜିଟାଲ ପାଠ ପଢିବାରୁ ଛାତ୍ରଛାତ୍ରୀ ମାନଙ୍କୁ ବଞ୍ଚିତ ରଖା ଯାଇଛି। ଶ୍ରୀ ଶତପଥୀଙ୍କ ଦିର୍ଘ ଦିନର ଅନୁପସ୍ଥିତି ପାଇଁ ପିଜି କାଉନସିଲ ଅଧ୍ୟକ୍ଷ ଡ଼ଃ ନିବେଦିତା ନାଥ ଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ସରକାର ଦାୟିତ୍ଵ ଦେଇଛନ୍ତି। ଏଣୁ ନୂତନ ସ୍ଥାୟୀ କୁଳପତି ନିଯୁକ୍ତି ସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ପରୀକ୍ଷା ନିୟନ୍ତ୍ରଣ ବିଭାଗ କୁ ପୁନର୍ଗଠନ କରି ବିଶ୍ଵବିଦ୍ୟାଳୟରେ ଅମୂଲଚୂଳ ପରିବର୍ତ୍ତନ କରିବାକୁ ପୁରାତନ ଛାତ୍ର ସଂଘ ଦାବି କରିଛି। ଆବଶ୍ୟକ ସ୍ଥଳେ ବିଶ୍ଵବିଦ୍ୟାଳୟର ଅନିୟମିତତା ର ତଦନ୍ତ ଦାବୀ ସହ ଅନୁଷ୍ଠାନର ମର୍ଯ୍ୟାଦା ରକ୍ଷା ପାଇଁ ପୁରାତନ ଛାତ୍ର ସଂଘ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବ । ଏସବୁ ଘଟଣାକୁ ନେଇ ଖୁବ୍ ଶୀଘ୍ର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.