ବ୍ୟାସବିହାରରେ ‘ଗବେଷଣା ଓ ପ୍ରକାଶନ ଶିଳାଚାର’ ପ୍ରସଙ୍ଗରେ ଅନୁଷ୍ଠିତ ହେଲା ପଞ୍ଚ ଦିବସୀୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଆଜି ‘ଗବେଷଣା ଓ ପ୍ରକାଶନ ଶିଳାଚାର’ ବିଷୟରେ ପାଞ୍ଚଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି।ଫକୀର ମୋହନ ବିଶ୍ଵବିଦ୍ୟାଳୟ ଅଧୀନରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପି.ଏଚ୍.ଡି. ଗବେଷଣା ପଞ୍ଜିକରଣ ନିମିତ୍ତ କୋର୍ସୱାର୍କ୍ କରୁଥିବା ଗବେଷକ ବିଦ୍ୟାର୍ଥୀମାନଙ୍କ ପାଇଁ ଏହି କର୍ମଶାଳାଟି ଉଦ୍ଦିଷ୍ଟ। ତେଣୁ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗରୁ ମୋଟ ୨୧୦ ଜଣ ଗବେଷକ-ବିଦ୍ୟାର୍ଥୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି।

ଏହି କର୍ମଶାଳାରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତି ରୂପେ ଯୋଗ ଦେଇ ପି.ଏଚ୍.ଡି. ଏକ ଉଚ୍ଚତର ଗବେଷଣା କାର୍ଯ୍ୟ ହୋଇଥିବା ହେତୁ ଏକାନ୍ତ ଆଗ୍ରହୀ ଓ ପ୍ରକୃତ ଗବେଷଣା କରିବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କ ସଂପୃକ୍ତି ଉଚିତ ବୋଲି ପ୍ରକାଶ କରିଥିଲେ। ସେହିପରି ଗବେଷଣା କାର୍ଯ୍ୟ ଓ ଏହାର ଆବଶ୍ୟକତାକୁ ଠିକ୍ ଭାବରେ ବୁଝିବା, ଅଧ୍ୟୟନ କରିବା ଏବଂ ଲେଖିବା ହିଁ ଗବେଷଣା ଶିଳାଚାର ହୋଇପାରେ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଉଲ୍ଲେଖ କରିଥିଲେ। କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଫେସର ଶରତ କୁମାର ପାଲିତା ଏଥିରେ ଭିତ୍ତି-ପ୍ରବକ୍ତା ଭାବରେ ଯୋଗଦେଇ ଗବେଷଣା ଶିଳାଚାର ବିଷୟରେ ସଂପୂର୍ଣ୍ଣ ଅବଧାରଣା ନରହିଲେ ଗୁଣାତ୍ମକ ଓ ମୂଲ୍ୟବୋଧ ଯୁକ୍ତ ଗବେଷଣା କରିବା ସମ୍ଭବପର ହୋଇପାରେ ନାହିଁ, ତେଣୁ ଉପଯୁକ୍ତ ଓ ମୌଳିକ ଗବେଷଣାକୁ ଦୃଷ୍ଟିରେ ରଖି ‘ଗବେଷଣା ଓ ପ୍ରକାଶନ ଶିଳାଚାର’ ପରି ବିଷୟରେ ବିଶ୍ଵବିଦ୍ୟାଳୟର ସମସ୍ତ ଗବେଷକଙ୍କୁ ସାମୂହିକ ଭାବରେ ଏହି ବିଷୟରେ ଅବଧାରଣା ପ୍ରଦାନ କରିବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ପ୍ରକାଶ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏଥିରେ ଉପସ୍ଥିତ ରହି ଗବେଷଣା ଓ ପ୍ରକାଶନ ନୈତିକତା ବିଷୟରେ ବିଭିନ୍ନ ବିଭାଗର ପ୍ରବୀଣ ବିଶେଷଜ୍ଞବୃନ୍ଦ ଶିକ୍ଷାଦାନ କରିବାର ସହମତି ପ୍ରକାଶ କରିଥିବା ହେତୁ ଏହା ଗବେଷକ-ବିଦ୍ୟାର୍ଥୀ ମାନଙ୍କପାଇଁ ନିଜନିଜର ମେଧାଶକ୍ତି ବିକାଶରେ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରଣୀନ୍ଦ୍ର କୁମାର ନାୟକ ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମତାମତ ରଖି, ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ‘ଜାତୀୟ ଶିକ୍ଷାନୀତି- ୨୦୨୦’ ଏବଂ ଏଥିରେ ମୂଲ୍ୟବାଧ ଭିତ୍ତିକ ଗବେଷଣାକୁ ସର୍ବାପେକ୍ଷା ଗୁରୁତ୍ଵ ପ୍ରଦାନ କରାଯାଇ ଥିବା ହେତୁ ଗବେଷଣା ନୈତିକତା ବିଷୟରେ ଆୟୋଜିତ ଏହି କର୍ମଶାଳାଟି
ଗବେଷକ-ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ବୋଲି ପ୍ରକାଶ କରିଥିଲେ।

ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପ-ନିର୍ଦ୍ଦେଶକ ଡ଼କ୍ଟର ଦେବଦତ୍ତ ଦାସ ଶେଷରେ କୃତଜ୍ଞତା ଜ୍ଞାପନ କରିଥିବାବେଳେ ଅଧ୍ୟାପିକା ଡ଼କ୍ଟର ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରକାଶ ଯୋଗ୍ଯ, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଶ୍ବବିଦ୍ୟାଳୟର ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ, ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ପ୍ରଫେସର ପଙ୍କଜ କୁମାର ପାଢୀ, ଡ଼କ୍ଟର ଭାରତଭୂଷଣ ପଟ୍ଟନାୟକ, ଡ଼କ୍ଟର ମନୋଜିତ ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଫେସର ଶରତ କୁମାର ପାଲିତା, ଖଡଗପୁର ସ୍ଥିତ ଆଇଆଇଟି ର ଡ଼କ୍ଟର ହେମନ୍ତ କୁମାର ଦାସ, ଡ଼କ୍ଟର ସମୀର କୁମାର ଜଲାଲ୍, ତଥା ପ୍ରଫେସର ପ୍ରତାପ କୁମାର ମହାନ୍ତି, ଡିଡିୟୁ, ପ୍ରଫେସର ଅତନୁ କୁମାର ପତି, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପ୍ରମୁଖ ଏହି କର୍ମଶାଳାରେ ବିଷୟ-ବିଶେଷଜ୍ଞ ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୨ ତାରିଖରେ ଏହି କର୍ମଶାଳାଟି ଉଦଯାପିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.