ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ-୧ ଗ୍ରେଡ ପାଇବାପାଇଁ ପରିକଳ୍ପିତ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ପ୍ରକାଶ – ୨୦୨୫’ର ଶୁଭାରମ୍ଭ ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କୃତିତ୍ଵ ହାସଲ କରିବା ପାଇଁ ପ୍ରେରଣା ଯୋଗାଇଥିଲେ। ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ରହି ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ମେରୁଦଣ୍ଡକୁ ସୁଦୃଢ କରିବେ ସେ ଦିଗରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ।
କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର କହିଥିଲେ, ଅଧିକ ସଂଖ୍ୟକ ଏ-ଗ୍ରେଡ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ଜିଲ୍ଲାର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ‘ପ୍ରକାଶ – ୨୦୨୫’ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉତ୍ସାହିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ , ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଷଷ୍ଠି ଝାଙ୍କର, ଜୁନାଗଡ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିଲେ। ସ୍ବାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ ବୋର୍ଡ଼ା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କ ଓ ବିଜ୍ଞାନ ଶିକ୍ଷକ ସୋମନାଥ ସାହୁ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ ଶିବିରରେ ଜିଲ୍ଲାର ୧୩ଟି ବ୍ଲକର ୧୧୬ ଜଣ ମେଧାବୀ ଛାତ୍ରଛାତ୍ରୀ ସମେତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟତ୍ରୀ, ସାଧନକର୍ମୀ ତଥା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବମୋଟ ୩୦୦ଜଣ ଯୋଗ ଦେଇଥିଲେ।
ସୂଚନା ଥାଉ କି ପ୍ରତ୍ୟେକ ବ୍ଲକରୁ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି, ସେମାନଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଆଗାମୀ ଦିନରେ ପ୍ରତ୍ୟେକ ଶନିବାର ଦିନ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଷୟଗତ ସାଧନକର୍ମୀଙ୍କ ଦ୍ଵାରା ଶିକ୍ଷା ପ୍ରଦାନ କରାଯିବ।
ଏଥି ସହିତ ପ୍ରତ୍ୟେକ ରବିବାର ଦିନ ଚୟନ ହୋଇଥିବା ପାଞ୍ଚୋଟି ଅଧ୍ୟୟନ କେନ୍ଦ୍ର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର, ଜୁନାଗଡ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼, କୋକସରା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡ଼ଙ୍ଗରିଗୁଡା, କେସିଙ୍ଗା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଏବଂ ନର୍ଲା ବ୍ଲକର ରାଧାକୃଷ୍ଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶାନ୍ତପୁରଠାରେ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ ବିଷୟଗତ ଜଟିଳ ଧାରଣା ଓ ଉପଧାରଣା ପ୍ରଦାନ ସହ ସନ୍ଦେହ ମୋଚନ କରାଯିବ। ଏହି କାର୍ଯ୍ୟରେ ଜିଲ୍ଲାର ୬୧ ଜଣ ବିଷୟ ବିଶାରଦ ଶିକ୍ଷକ ନିୟୋଜିତ ହେବେ। କାର୍ଯ୍ୟକ୍ରମରେ ବିଷୟ ବିଶାରଦ ଭାବେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ କେସିଙ୍ଗାର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ ସନ୍ଧିକୁଲିଆରିର ପ୍ରଧାନ ଶିକ୍ଷକ ରିଖିରାମ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଝସକେତନ ପ୍ରଧାନ, ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ପ୍ରଭାତ ରଥ, ମଳୟ ମୁଣ୍ଡ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚାପମୁକ୍ତ ଜୀବନଯାପନ ଓ ସମୟର ସଦୁପଯୋଗ ଉପରେ ବିଶେଷ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ ଏବଂ ପଞ୍ଚସଖା ଶିକ୍ଷାସେତୁ ଜିଲା ସଂଯୋଜକ ପ୍ରଶାନ୍ତ ନନ୍ଦ। ଶିକ୍ଷକ ମଙ୍ଗୁଳୁ ପ୍ରଧାନ, ବାପାଙ୍ଗୀ ପ୍ରଧାନ, ଯୁଧିଷ୍ଠିର ସାହୁ, ସମସ୍ତ ସାଧନ କର୍ମୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।