ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକର ଚାଷୀଙ୍କୁ ୨୦୨୩ ମସିହା ଖରିଫ ଧାନ ଚାଷର କୃଷିବୀମା ଦିଆଯିବାକୁ ଦାବି କରିଛି ଭାରତୀୟ କିସାନ ସଂଘ। ଏହି ମର୍ମରେ ସଇଁନ୍ତଲା ବ୍ଲକ ଶାଖା ତରଫରୁ ତହସିଲଦାର ଆଶିଷ ଏକ୍କା ଏବଂ ସହକାରୀ କୃଷି ଅଧିକାରୀ ସଞ୍ଜିବ ନାଏକଙ୍କୁ ଦାବିପତ୍ର ଦିଆଯାଇଛି। ୨୦୨୩ ମସିହାର ଖରିଫ ଧାନ ଚାଷରେ ଚକଡ଼ା ପୋକର ପ୍ରାଦୁର୍ଭାବ ଯୋଗୁଁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ବିଭାଗୀୟ କର୍ମଚାରୀଙ୍କ ପରାମର୍ଶକ୍ରମେ ଔଷଧ ପ୍ରୟୋଗ କରାଯାଇଥିଲେ ସୁଦ୍ଧା କିଛି ଫଳ ମିଳିନଥିଲା। ଅମଳ ସମୟରେ ଅଦିନିଆ ବର୍ଷା ଦାଉ ସାଧିଥିଲା। ଧାନପେଟା ବର୍ଷାପାଣିରେ ଭାସି ନଷ୍ଟ ହେଲା। ଚାଷୀମାନେ ଏନେଇ ପ୍ରଶାସନକୁ ଜଣାଇବା ପରେ କୃଷି, ରାଜସ୍ବ ଓ ବୀମା କମ୍ପାନୀ ଅଧିକାରୀ ବିଭିନ୍ନ ପଞ୍ଚାୟତ ଗସ୍ତ କରି କ୍ଷୟକ୍ଷତି ଆକଳନ କରି ବୀମାରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ ଉକ୍ତ ବୀମାରାଶି ଆଜି ଯାଏ ମିଳିନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିସାନ ସଂଘ ଜିଲ୍ଲା ଉପସଭାପତି ମୋହନ ନାଏକ, ରଥ ବୁଡ଼େକ, ସଞ୍ଜିତ ଭୋଇ, ରସାନ୍ତ ସାହୁ, ରଜକ ଭୋଇ, ପୀତବାସ ସାହୁ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।





