ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ବାବୁ ଫାସଡ ଗାଁର କ୍ରୀଷ୍ଣା ଖମାରୀ (୧୭) ଘର ଛାତ ବିମରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଥିବା ଗାଁ ଲୋକେ ଆଗଲପୁର ଥାନାରେ ଅଭିେଯାଗ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ତଦନ୍ତ ପରେ ମୃତ୍ୟୁ ନା ଆତ୍ମହତ୍ୟା ତାର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରର ପ୍ରକାଶ। ପ୍ରକାଶ ଯୋଗ୍ୟ ଯେ, ଗତବର୍ଷ ମୃତ ନାବାଳିକାଟି ବରଗଡ କମଗାଁ କଲେଜରୁ ଯୁକ୍ତ ଦୁଇ ପାସ୍ କରି ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ +୩ରେ ଅଧ୍ୟୟନ କରୁଥିଲେ। କୌଣସି କାରଣରୁ ଘରକୁ ଆସିଥିଲେ। ପରେ ପରେ ଏହି ଅଭାବନୀୟ ଘଟଣା ଘଟିଯାଇଥିବା ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ଗତବର୍ଷ ବାପାଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ମୃତ ଯୁବତୀଙ୍କ ଏକ ଛୋଟ ଭାଇ ଓ ତାଙ୍କ ବିଧବା ମାଁ ଅଛନ୍ତି।