ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୁନାଗଡ ନିୟନ୍ତ୍ରୀତ ବଜାର କମିଟି ଅଧିନସ୍ଥ ଗୋଲାମୁଣ୍ଡାରେ ୨୯/୧୧ ରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ନର୍ଲାରେ ଏଯାଏଁ ଆରମ୍ଭ ହୋଇନି ମଣ୍ଡି । ଏହା ୨ ଡିସେମ୍ବରରୁ ଚାଲିବ ବୋଲି ବ୍ଲକ ପ୍ରଶାସନ କହୁଥିବା ବେଳେ ନର୍ଲା ଅଞ୍ଚଳର ୯୦ ପ୍ରତିଶତ ଧାନ ଅମଳ ହୋଇସାରିଛି । ଧାନ ଗଚ୍ଛିତ ରଖିବା ପାଇଁ ଘରେ ଜାଗା ନଥିବାରୁ ଚାଷୀ ଗାଁ ଦାଣ୍ଡ କଂକ୍ରୀଟ ରାସ୍ତାରେ ଧାନ ସୁଖାଇ ଏହାକୁ ଏଫଏକ୍ୟୁ ମାନର ଧାନ ଭାବରେ ବିକ୍ରୟ କରିବା ପାଇଁ ପ୍ରସ୍ତୁତ କରୁଛି । ଠିକ୍ ଏହି ସମୟରେ ପାଣିପାଗ ବିଭାଗର ବାତ୍ୟା ଘୋଷଣା ଓ ନର୍ଲା ଅଞ୍ଚଳରେ କାଲୁଆ ପାଗ ସାଙ୍ଗକୁ ଟିପ ଟିପ ବର୍ଷା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ।
ଶୁକ୍ରବାର ନର୍ଲା ଅଞ୍ଚଳରେ ଅଳ୍ପ ବର୍ଷା ପଡିବାରୁ ଗାଁ ଦାଣ୍ଡରେ ଧାନ ସୁଖାଇଥିବା ଚାଷୀ ମାନେ ପାଲ ସଂଗ୍ରହ କରି ଧାନ ସବୁକୁ ଏକତ୍ରୀତ କରି ପାଲ ଘୋଡେଇ ରଖିଥିବା ଦେଖିବାକୁ ମିଳିଛି । ଆଜି ଶନିବାର ପୁଣି ଝିପି ଝିପି ବର୍ଷା ଲାଗି ରହିଛି । ବନ୍ୟା, ମରୁଡି, ରୋଗ, ପୋକ ସହ ସଂଗ୍ରାମ କରି ବଡ କଷ୍ଟରେ ଉପାର୍ଜନ କରିଥିବା ବର୍ଷକର ଆୟ ଫସଲ ଗଣ୍ଡାକ କେମିତି ଠିକ ଭାବରେ ବିକ୍ରୟ କରି ପାରିଲେ ପୁଅ, ଝିଅ ବାହାଘର, ଗୃହ ନିର୍ମାଣ ଓ ଧାର କରଜ ସୁଝିବାର ଅନେକ ଯୋଜନା ରଖିଥିବା ଚାଷୀ ଅଦ୍ୟାବଧି ଧାନ ବିକ୍ରୟ କରିପାରି ନଥିବାରୁ ଦୁଃଖରେ ମ୍ରିୟମାଣ ହୋଇପଡିଥିବା ଦେଖିବାକୁ ମିଳୁଛି ।
ଚାଷୀ ନୂଆ ସରକାରଙ୍କର କ୍ୱିଣ୍ଟାଲ ପ୍ରତି ଧାନ ଦର ୩୧୦୦ ଟଙ୍କାକୁ ନେଇ ବେଶ ଉତ୍ସାହିତ ଓ ଆଶାବାଦୀ ରହିଥିବା ବେଳେ ବର୍ଷା ଆଶଙ୍କା ଚାଷୀଙ୍କୁ ବିଚଳିତ କରିଛି । ଚାଷୀ ଅପେକ୍ଷା କରିଛି ମଣ୍ଡିକୁ । ଅନ୍ୟପକ୍ଷେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଗାଁ ଗାଁ ବୁଲି ଦଲାଲ ମାନେ ଚାଷୀଙ୍କୁ ଫୁସଲା ଫୁସଲି କରି ଅତି ନିମ୍ନ ଦରରେ ଧାନ କିଣି ନେଇଉଥିବାରୁ ବୁଦ୍ଧିଜୀବୀ ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ନୂଆ ସରକାର ମୋହନ ମାଝି, ସରକାର ଧାନ ମଣ୍ଡିରେ କଟନୀ ଛଟନୀକୁ ସମାପ୍ତ କରିବେ, ମଣ୍ଡିକୁ ଦଲାଲ ମୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ମଧ୍ୟ ଚାଷୀ ମହଲରେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳୁଛି । ହେଲେ ମଣ୍ଡି ଆରମ୍ଭ ହେଲେ ସମସ୍ତ କଥା ସ୍ପଷ୍ଟ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।