ଶୁଭାରମ୍ଭ ହେଲା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ-ଖୋ ମହାକୁମ୍ଭ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୂର୍ବ ଭାରତର ଓଡିଶା, ପଶ୍ଚିମବଂଗ, ଝାରଖଣ୍ତ, ମଣିପୁର, ବିହାର, ଆସାମ, ଉତ୍ତରପ୍ରଦେଶ, ସିକିମ ପ୍ରଭୃତି ୮ ଗୋଟି ରାଜ୍ଯର ୪୪ ଟି ବିଶ୍ବବିଦ୍ୟାଳୟର ୬୬୦ ଜଣ ଖେଳାଳୀମାନଙ୍କୁ ନେଇ ୪ ଦିନ ବ୍ୟାପି ଖୋଖୋ ଟୁର୍ଣ୍ଣାମେଣ୍ଟର ମହାକୁମ୍ଭ ଫକୀରମୋହନ ବିଶ୍ବ ବିଦ୍ୟାଳୟର ନୂଆପାଢୀ ସ୍ଥିତ କ୍ୟାମ୍ପସ ପରିସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା, ପି.ଇ.ଓ. ସଂଗ୍ରାମ ବିଶୋଇଙ୍କ ଉପସ୍ଥିତିରେ କୁଳପତି ପ୍ରଫେସର ତ୍ରିପାଠୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଉଦବୋଧନ ଦେଇଥିଲେ ।

ଖେଳୁଆଡ ମନୋଭାବ ନେଇ ଖେଳିବା ସହ ଖେଳର ମହତ୍ତ୍ବ ତଥା ଏଥିପ୍ରତି ସମ୍ମାନସ୍ପଦ ଭାବର ପ୍ରଦର୍ଶନ ହିଁ ଖେଳାଳୀଙ୍କ ପ୍ରକୃତ ପରିଚୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଜିତିବା-ହାରିବା କୁ ବିଶେଷ ଧ୍ୟାନ ନଦେଇ ଖୁସିର ସହ ଖେଳିବାକୁ ଉତ୍ସାହିତ କରିଥିଲେ। କୁଳପତିଙ୍କ ଦ୍ବାରା ପତାକା ଉତ୍ତୋଳନ ପରେ ୪୪ ଟି ଦଳର ମାର୍ଚ୍ଚ ପାଷ୍ଟ କରାଯାଇ ଖେଳ ଉଦ୍ଦେଶ୍ଯରେ ସାମୂହିକ ଶପଥପାଠ କରାଯାଇଥିଲା।

ଏହି ପ୍ରତିଯୋଗିତାର ଆୟୋଜନକୁ ତୃଟିଶୂନ୍ୟ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।
ଏଥିରେ ଶ୍ରେଷ୍ଠ ବିବେଚିତ ୪ଟି ଦଳ ଜାତୀୟ ପର୍ଯ୍ୟାୟର ଟୁର୍ଣ୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଚାରିଦିନିଆ ଟୁର୍ନାମେଣ୍ଟରେ ଖେଳାଳୀମାନଙ୍କ ସହିତ ମ୍ୟାନେଜର ଓ କୋଚ ମିଶି ମୋଟ ୭୫୦ ଜଣ ଅତିଥି , ଏମ୍ପାୟାର, ଜିଲ୍ଲା ଓ ରାଜ୍ୟ ଖୋଖୋ ସଂଗଠନର ପ୍ରତିନିଧିମାନେ ଯୋଗଦେଇଛନ୍ତି ତଥା ଜାତୀୟସ୍ତରରେ ମାନ୍ୟତାପ୍ରାପ୍ତ ୨୫ଜଣ ରେଫେରୀ ଖେଳ ପରିଚାଳନା କରିବେ। ଚଳିତ ମାସର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାକୁ ସର୍ବାନ୍ତକରଣରେ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ , ରାଜ୍ୟ ତଥା କେନ୍ଦ୍ର ସରକାର ସହଯୋଗ କରୁଛନ୍ତି। ବିଗତ ବର୍ଷମାନଙ୍କରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ୫ଟି ଆନ୍ତଃରାଜ୍ଯ ବିଶ୍ବବିଦ୍ଯାଳୟ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ କରାଯାଇଛି ଓ ଏହା ଛାତ୍ରଛାତ୍ରୀମାନଂକୁ ଯଥେଷ୍ଟ ପ୍ରେରଣା ଯୋଗାଇଛି।

ପ୍ରକାଶ ଯୋଗ୍ଯ, ବିଶ୍ବବିଦ୍ୟାଳୟର ଉଦୀୟମାନ ଯୁବ ଖୋ-ଖୋ ଖେଳାଳୀ ମହିଳା ବିଭାଗରେ ୪ଥର ପୂର୍ବାଂଚଳ ଚମ୍ପିୟାନ ହୋଇଥିବା ବେଳେ ପୁରୁଷ ବିଭାଗରେ ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ସ୍ଥାନ ଅଧିକାର କରିଛି। ୪ ଜଣ ଛାତ୍ର ଏବେ ପେଷାଦାର ଖୋ-ଖୋ ଖେଳାଳୀର ମାନ୍ୟତା ଲାଭ କରିସାରିଛନ୍ତି।

କ୍ଲେ କୋର୍ଟରେ ଆୟୋଜିତ ହେଉଥିବା ଟୁର୍ଣ୍ନାମେଣ୍ଟ ପାଇଁ ଗୋଟିଏ ଅଭ୍ୟାସ ଓ ଅନ୍ୟ ଦୁଇଟି ଖେଳ କୋର୍ଟ ନିର୍ମାଣ କରାଯାଇଛି ଏଥିସହ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଏହି ଖୋ-ଖୋ ମହାକୁମ୍ଭର ସଫଳ ଆୟୋଜନରେ ସହଯୋଗ କରିବା ଓ ଖେଳର ଭରପୁର ଆନନ୍ଦ ଉପଭୋଗ କରିବାପାଇଁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଓ କୁଳସଚିବ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.