ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ପାଇଁ ପ୍ରଥମ ବଳିଦାନୀ ବାବୁ ଗେନୁଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ l ତାଙ୍କ ତ୍ୟାଗ, ଆଦର୍ଶ ଓ ବଳିଦାନରେ ଅନୁପ୍ରାଣିତ ହୋଇ ଦୈନଦିନ ଜୀବନରେ ସ୍ୱଦେଶୀ ବ୍ୟବହାର ସହିତ ପର୍ଯ୍ୟାବରଣ ସୁରକ୍ଷା ଓ ସ୍ୱଦେଶୀ ଆଧାରରେ ସ୍ଵାଭିମାନୀ, ସ୍ୱାବଲମ୍ବୀ ଓ ଶକ୍ତିଶାଳୀ ଭାରତ ନିର୍ମାଣ ହିଁ ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମଞ୍ଚାସୀନ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ l ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର, ଭବାନୀପାଟଣା ଓ ସ୍ୱଦେଶୀ ଜାଗରଣ ମଞ୍ଚ,କଳାହାଣ୍ଡିଙ୍କ ମିଳିତ ସହଯୋଗରେ ଅମର ବଳିଦନୀ ବାବୁ ଗେନୁଙ୍କ ବଳିଦାନ ଦିବସରେ “ସ୍ୱଦେଶୀ ଦିବସ” ବ୍ରଜ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍ୱଦେଶୀ ପାଇଁ ପ୍ରଥମ ଅମର ବଳିଦାନୀ ବାବୁଗେନୁ ୧୯୦୮ ଜାନୁୟାରୀ ୧ ରେ ମହାଲୁଙ୍ଗେ, ପଡ଼ାବଲ ଲ ଜିମହାରାଷ୍ଟ୍ରରେ ଜନ୍ମିତ ବାବୁଚେନୁ ମୁମ୍ବାଇରେ ଜଣେ ଶ୍ରମିକ ଭାବରେ କାମ କରୁଥିଲେ l ସେହି ସମୟରେ ସେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ l ବିଦେଶୀ ଲୁଗା ବୋଝେଇ ଗାଡ଼ିକୁ ସହର ଭିତରକୁ ପ୍ରବେଶକୁ ବିରୋଧ ପ୍ରଦର୍ଶନ ସମୟରେ ତାଙ୍କୁ ୧୯୩୦ ଡିସେମ୍ବର ୧୨ ରେ ଇଂରେଜ ଅଧିକାରୀ ଫ୍ରେଜର ବିଦେଶୀ ଲୁଗା ବୋଝେଇ ଟ୍ରକ ଚଢ଼ାଇ ହତ୍ୟା କରିଥିଲା l ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଦୀନବନ୍ଧୁ ମୁଣ୍ଡ ମୁଖ୍ୟ ଅତିଥି, ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଓ ମଞ୍ଚ ପ୍ରାନ୍ତ ସମ୍ପର୍କ ପ୍ରମୁଖ ତଥା ସ୍ୱାବଲମ୍ବୀ ଭାରତ ଅଭିଯାନ ଜିଲ୍ଲା ସମନ୍ବୟକ ଯୁବ ଉଦ୍ୟୋଗୀ ପ୍ରତୀକ ଯୋଷୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ବ୍ରଜବିହାରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ନକୁଳ ନାୟକ ସଂଯୋଜନା କରିଥିଲେ l ଜିଲ୍ଲା ସମ୍ପର୍କ ପ୍ରମୁଖ ତଥା ଇ- ଦୋସ୍ତି ମୁଖ୍ୟ ଗଜିନ୍ଦ୍ର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ l ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓ ଆଚାର୍ଯ୍ୟ ବୃନ୍ଦ ଉପସ୍ଥିତ ଥିଲେ l ଶେଷରେ ବନ୍ଦେ ମାତରମ୍ ଗାନ ଓ ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l