ଡିସେମ୍ବର ୩୧ ତାରିଖ ହେବ ‘ବହି ତରାସ୍’ ଦିବସ : ବାଲେଶ୍ଵରରୁ ଶୁଭାରମ୍ଭ ପାଇଁ ଲେଖକଙ୍କ ଆହ୍ବାନ

ଘରେ ଘରେ ସ୍ଲୋଗାନ୍: ବହି ଆମର ବନ୍ଧୁ, ବହି ଜ୍ଞାନର ସିନ୍ଧୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପାଶ୍ଚାତ୍ଯ ଦେଶ ତୁଳନାରେ ଭାରତର ପୁସ୍ତକ ପାଠକ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏକ ପୁରାତନ ପ୍ରକାଶନ ସଂସ୍ଥା ‘କିତାବ୍ ତେରସ୍’ ନାମକ ଏକ କାର୍ଯ୍ୟକ୍ରମ ଜରିଆରେ ବହି ବିକ୍ରିକୁ ବହୁଗୁଣ ବୃଦ୍ଧି କରିପାରିଛି। ଏହି ଘଟଣାକୁ ଗୁରୁତ୍ଵ ଦେଇ ବର୍ଷର ଶେଷ ଦିବସ ଅର୍ଥାତ୍ ଡିସେମ୍ବର ୩୧ ତାରିଖକୁ ଓଡିଶାରେ ‘ବହି ତରାସ୍’ ଦିବସ ଭାବରେ ପାଳନ କରିବା ପାଇଁ ଏବେ ସବୁ ମହଲରୁ ଚିନ୍ତା କରାଯାଉଛି। ବର୍ଷର ଶେଷ ଦିନରେ ପାଠକ ପାଠିକା ପ୍ରିୟ ପୁସ୍ତକ କିଣି ପୁରାତନ ବର୍ଷକୁ ସ୍ମରଣ ରଖିବା ସହିତ ଜଣେ ପାଠକ ବହି କିଣିବା ସହିତ ଅନ୍ୟ ପାଞ୍ଚ ଜଣ ବନ୍ଧୁଙ୍କୁ ବହି କିଣିବା ପାଇଁ ପ୍ରଭାବିତ କରାଇ ପାରିବ। ଏଭଳି ଅଭିଯାନ ଆରମ୍ଭ ପାଇଁ ଏବେ ଓଡ଼ିଶାର ଲେଖକ, ପାଠକ, ପ୍ରକାଶକ, ସାମ୍ବାଦିକ, ସ୍ତମ୍ଭକାର, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଚିନ୍ତା ପ୍ରକଟ କରିଛନ୍ତି। କାରଣ ପୁସ୍ତକ ପଠନ ଅଭ୍ୟାସ ହିଁ ବ୍ୟକ୍ତିକୁ ଜ୍ଞାନୀ, ଗୁଣୀ ଉଦାର ଓ ଦେବୋପମ କରାଇ ଥାଏ ବୋଲି ଏକ ଆଭାସି ବୈଠକରେ ମତ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ କବି କୃଷ୍ଣ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଫେସର ସତ୍ୟପ୍ରିୟ ମହାଳିକ, ଡ. ହରିଶ୍ଚନ୍ଦ୍ର ବେହେରା, ଡ. ଶିରୀଶ୍ ଚନ୍ଦ୍ର ଜେନା, ସୈରିନ୍ଧୀ ସାହୁ, ମମତା ମହାପାତ୍ର, ଡ. ରାଧାରଞ୍ଜନ ପଟ୍ଟନାୟକ, ଡ. କାଳୀପଦ ପଣ୍ଡା, ଅଭୟ ଦାସ, କବି ଶ୍ରୀଦେବ, କଲ୍ୟାଣୀ ନନ୍ଦ, ଡ. ସୁବାସ ଚନ୍ଦ୍ର ପାତ୍ର, ଡ. ରତ୍ନାକର ସିଂହ, ଅସିତ ମହାନ୍ତି, ରଞ୍ଜନ ବାଗ୍, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଚନ୍ଦ୍ରମୋହନ ମହାପାତ୍ର, ନିହାର ରଞ୍ଜନ କର, ଡ. ବସନ୍ତ କୁମାର ଦାସ, ଡ. ଶିଶିର କୁମାର କର, ଉଦୟ ନାରାୟଣ ଦାସ, ପ୍ରଶାନ୍ତ ଦାସ ପ୍ରମୁଖ ସାରସ୍ୱତ ସାଧକ ଯୋଡ଼ି ହୋଇ ‘ବହି ତରାସ୍’ ଭଳି ଅନୁଚିନ୍ତାକୁ କାର୍ଯ୍ୟକାରୀ କରିବାର ଆଶା ବ୍ୟକ୍ତ କରିଛନ୍ତି। ସମଗ୍ର ଓଡ଼ିଶାରେ ଏଭଳି ଅଭିଯାନ ଆରମ୍ଭ କରାଯିବାର ଆବଶ୍ୟକତା ଅଛି ବୋଲି ସେମାନେ ମତ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.