ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ବଲପୁର-ରାୟଗଡା ତପସ୍ଵିନୀ ଏକ୍ସପ୍ରେସରେ ବୁଧବାର ଦିନ କେସିଙ୍ଗାରୁ ଚଢ଼ି ଲାଞ୍ଜିଗଡ଼ରୋଡ଼ କଲେଜକୁ ଯାଉଥିବା ସମୟରେ ରୁପ୍ରାରୋଡ ରେଳ ଷ୍ଟେସନର ଧରଣୀପଦର ଫାଟକ ନିକଟରେ ଟ୍ରେନରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କେସିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁପଡାର ରସିକ ପଧାନଙ୍କ ପୁଅ ଅଙ୍କିତ ପଧାନ (୧୭) ବୋଲି ଜଣାପଡିଛି। କୌଣସି କାରଣ ବସତଃ ଟ୍ରେନରୁ ଖସିପଡ଼ି ଧରଣୀପଦର ଫାଟକ ନିକଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରେଳବାଇ ପୋଲିସ ପହଞ୍ଚି ଶବ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଶବ ପଞ୍ଚନାମା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଛାତ୍ର ଅଙ୍କିତ ବାପାଙ୍କ ଏକମାତ୍ର ପୁତ୍ର ସନ୍ତାନ। ତାଙ୍କର ଦୁଃଖଦ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏହି ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।