ସିଟିଜେନ୍ ହ୍ୟୁମାନ ରାଇଟ୍ସ କ୍ଲିନିକ୍ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଏକ ଅଗ୍ରଣୀ ସମାଜସେବା ସଂସ୍ଥା ସିଟିଜେନ୍ସ ହ୍ୟୁମାନ୍ ରାଇଟସ୍ କ୍ଲିନିକ୍ ( ସିଏଚଆରସି ) ପକ୍ଷରୁ ରାଜଧାନୀରେ ସଡ଼କ ସୁରକ୍ଷା ସମ୍ପର୍କୀୟ କାର୍ଯ୍ୟକ୍ରମ କରାଯାଇ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା । ସିଆରଏଚସିର ଚେୟାରମ୍ୟାନ୍ ପ୍ରାକ୍ତନ ପୋଲିସ ଡିଜି ଡକ୍ଟର ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାବିତ୍ରୀ ଦେବୀ ଚାରିଟେବଲ୍ ଟ୍ରଷ୍ଟ, ବାଣୀବିହାର -୮୦, ପୂର୍ବାଶା, ତାରିଣୀ ମା ସାମାଜିକ ଓ ଆର୍ଥନୀତିକ ବିକାଶ ସଂସ୍ଥା ଓ ଯେହୋଭା ଗ୍ରୁପ୍ ଅଫ୍ କମ୍ପାନୀଜର ଅନେକ ସଦସ୍ୟ ଓ ନାଗରିକମାନେ ଅଂଶଗ୍ରହଣ କରିଥିଲେ। ନିଜର ଓ ଅନ୍ୟମାନଙ୍କ ହିତ ପାଇଁ ସଡକ ସୁରକ୍ଷା ନିୟମ କଡାକଡି ଭାବେ ପାଳନ କରିବା ପାଇଁ ରାସ୍ତା ବ୍ୟବହାରକାରୀମାନଙ୍କୁ ସଂଗଠନର ସ୍ଵେଚ୍ଛାସେବୀ ମାନେ ବୁଝାଇଥିଲେ ।

ଚେୟାରମ୍ୟାନ୍ ଡକ୍ଟର ମଲ୍ଲିକ, ସୁପ୍ରସିଦ୍ଧ ଲେଖିକା ଡକ୍ଟର ରଶ୍ମୀ ରାଉଳ, ପ୍ରାଧ୍ୟାପକ ଜୟକୃଷ୍ଣ ମହନ୍ତଙ୍କ ନେତୃତ୍ୱରେ ଏକ ସୁଦୀର୍ଘ ଶୋଭାଯାତ୍ରା ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଓ ଅଞ୍ଚଳର ପାର୍ଶ୍ଵବର୍ତ୍ତୀ ରାସ୍ତାମାନଙ୍କରେ କରାଯାଇଥିଲା । ଏଥିରେ ଭାଗ ନେଇ ସ୍ଵେଚ୍ଛାସେବୀ ମାନେ କାର, ମୋଟର ସାଇକଲ, ସାଇକଲ ଓ ଭାରୀଯାନ ଚଳାଉଥିବା ବ୍ୟକ୍ତିମାନଙ୍କୁ ଟ୍ରାଫିକ ସିଗ୍ନାଲ ମାନିବା ଓ ସତର୍କତା ସହ ନିୟନ୍ତ୍ରିତ ବେଗରେ ଗାଡି ଚଳାଇବା ସହ ପଥଚାରୀ ଓ ଅନ୍ୟ ଗାଡି ଚାଲୁଥିବା ବ୍ୟକ୍ତିମାନଙ୍କ ସୁବିଧା ପ୍ରତି ଦୃଷ୍ଟି ଦେଇ ଟ୍ରାଫିକ ଯାତାୟାତ ସୁଗମ କରିବାକୁ ଅବଗତି ଓ ଅନୁରୋଧ କରିଥିଲେ । ଟ୍ରାନ୍ସପୋର୍ଟ ଜଏଣ୍ଟ କମିଶନର ଓ ଭୁବନେଶ୍ବର ଆରଟିଓ ଶ୍ରୀ ବିକାଶ ଚୌଧୁରୀ କାର୍ଯ୍ୟକ୍ରମ ଉଦ୍ଘାଟନ କରି ଗାଡ଼ି ଚାଳକ ମାନେ ବିଭିନ୍ନ ରାସ୍ତାରେ ନିର୍ଦ୍ଧାରିତ ବେଗରେ ଗାଡି ଚଳlଇବା, ନିଶ୍ଚିତ ଭାବେ ହେଲମେଟ ବ୍ୟବହାର କରିବା, ସିଟ୍ ବେଲ୍ଟ ପିନ୍ଧିବା, ନିଶା ସେବନ କରି ଯାନ ନଚଳାଇବା, ଗାଡ଼ି ଚାଳକ ଲାଇସେନ୍ସ ପାଖରେ ରଖିବା, ଗାଡ଼ି ଚଳାଉଥିବା ବେଳେ ମୋବାଇଲ ଫୋନ୍ ବ୍ୟବହାର ନକରିବା ବା କାନରେ ଈଅର୍ ଫୋନ ବ୍ୟବହାର ନକରିବା ଆଦି ବିଷୟରେ ସଚେତନ କରାଇଥିଲେ ।

ସ୍ବେଚ୍ଛାସେବୀ ମାନଙ୍କର ସଡ଼କ ସଚେତନତା ପ୍ରସେସନ୍ ପରେ ଉପର ଲିଖିତ ସଂସ୍ଥା ମାନଙ୍କର ସଦସ୍ୟ ମାନେ ଦୈତ ନଗରୀର ପୋଲିସ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂହଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଓ ଏ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏବାବଦରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କମିଶନର ପ୍ରତିନିଧି ମାନଙ୍କୁ ଭରସା ଓ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଲଗ୍ନା ସୁଚରିତା, ସୁଧାକର ନାୟକ, ଡକ୍ଟର ଜେକେ ମହନ୍ତ, ପ୍ରଦ୍ୟୋତ କେଶରୀ ପ୍ରଧାନ, ନୃସିଂହନାଥ ନନ୍ଦ, ବନଶ୍ରୀ ମହାପାତ୍ର, ଗୋପାଳ କିଶୋର ପଣ୍ଡା, ସିଦ୍ଧାର୍ଥ କର ପ୍ରଭୃତି ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.