ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନକୁ ପ୍ରଭାବୀ କରାଏ

ଚଳନା ବିଦ୍ଯାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ଗୋଡ଼ାଳ କ୍ଲଷ୍ଟର ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସପ୍ତମ ମାସିକ ବୈଠକ ଅବସରରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଇଓ ଯତୀଂଦ୍ର କୁମାର ସେଠ ଉଦ୍‌‌ଘାଟନ କରିଥିଲେ। ଏ ଅବସରରେ ସ୍ଥାନୀୟ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସାରଙ୍ଗପାଣି ଦାଣ୍ତସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବିଇଓ ଶ୍ରୀ ସେଠ ଓ ସମ୍ୱାନିତ ଅତିଥି ଭାବରେ ସିଆରସିସି ସୁଶୀଳ କୁମାର ଯୋଷୀ, ବରିଷ୍ଠ ଶିକ୍ଷକ ଅରୁଣ ଯୋଷୀ ଓ ଭରତ ଚଂଦ୍ର ବାଗ ଯୋଗ ଦେଇଥିଲେ। ଶିକ୍ଷାଦାନ ସମୟରେ କେବଳ ପୁସ୍ତକ ପାଠ୍ୟକ୍ରମର ମୌଖିକ ଶିକ୍ଷାଦାନ ଅପେକ୍ଷା ଶିକ୍ଷଣ ସାମଗ୍ରୀର ବ୍ୟବହାରିକ ଓ ଉଦାହରଣମୂଳକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିଥାଏ ଓ ଏହା କୋମଳମତି ପିଲାଙ୍କ ସ୍ମୃତିରେ ଦୀର୍ଘସ୍ଥାୟୀ ହୋଇପାରେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ଶିକ୍ଷକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାକାର୍ଯ୍ଯ ସଂଯୋଜନା କରିଥିଲେ। ଦେବପୂଜନ ପରେ ଅତିଥିଙ୍କ ଦ୍ୱାରା ମେଳା ଉଦଘାଟିତ ହୋଇଥିଲା। ଶିକ୍ଷକ ଜନ୍ମେଜୟ ମେହେର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ କ୍ଲଷ୍ଟର ସ୍ତରୀୟ ସପ୍ତମ ମାସିକ ବୈଠକରେ ବିଭିନ୍ନ ବିଦ୍ଯାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫଏଲଏନ ଶିକ୍ଷକଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଗଣେଶ୍ୱର ପଟେଲ, ବିଶ୍ୱମ୍ୱର ମେହେର, ଶଶିଶେଖର ମେହେର, ତ୍ରିବିକ୍ରମ ଗହୀର, ଲିଙ୍ଗରାଜ ମେହେର, ଆର୍ତ୍ତତ୍ରାଣ ସାହୁ, ସୋନାଲୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ଯକ୍ରମ ଆୟୋଜନରେ ମମିତା ପାଟ୍ଟଯୋଷୀ, କିଶୋର ମେହେର, ସୁମିତ୍ରା ମେହେରଙ୍କ ସମେତ ସ୍ଥାନୀୟ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଶିବ ପ୍ରସାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.