ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ। ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ। ୧୮୩୫ ମସିହା ଡିସେମ୍ବର ୧୩ତାରିଖ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ। ଚନ୍ଦ୍ରଶେଖର ବାପାଙ୍କଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ। ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ପର୍ଯ୍ୟାଲୋଚନା କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ। ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ତାହାର ଅନେକ ଅସମାନତା ଥିଲା। ତାହାଙ୍କର ନିଜ ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ, ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି। ତାଙ୍କର ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କଲେ। ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ। ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା। ଅତି ସୁନ୍ଦର ପଦ୍ୟାବଳି ସହ ସଂସ୍କୃତ ଭାଷାରେ ଲିଖିତ ଏହି ବୃହତ ଗ୍ରନ୍ଥରେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି। ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କଦ୍ୱାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ। ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ। ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ। ତତ୍କାଳିନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତାସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା। ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ। କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି। ଗୋଲଯନ୍ତ୍ର, ସୂର୍ଯ୍ୟଘଡ଼ି, ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ମାନଯନ୍ତ୍ର ଓ ଖଗୋଳଯନ୍ତ୍ର ପଠାଣି ସାମନ୍ତଙ୍କ ଦ୍ବାରା ନିର୍ମିତ ଯନ୍ତ୍ର। ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ଯୋଗୁଁ ତାଙ୍କୁ ୧୮୯୩ ମସିହାରେ ମହାମହୋପାଧ୍ୟାୟ ଉପାଧିରେ ବିଭୂଷିତ କରାଯାଇଥିଲା।