କାଳ ବକ୍ଷରେ କେତେ କେତେ ସଭ୍ୟତା, କେତେ ଯେ ପ୍ରାଣୀ ସଂସାରରୁ ଲିଭି ଯାଇଛନ୍ତି, ଇତିହାସ ସେସବୁର ହିସାବ ରଖିପାରି ନାହିଁ। ଇତିହାସରେ ମନୁଷ୍ୟ ଯେତେ ଦୂରକୁ ଦେଖି ପାରିଛି, ତାହା ହିଁ ଲେଖି ପକାଇଛି। କିନ୍ତୁ କାଳ ତାହାର ଦୃଷ୍ଟି ପଥ ଠାରୁ ଲମ୍ବିଛି ବହୁ ଦୁରକୁ, ଅନନ୍ତ ଦୀର୍ଘ ଏ କାଳ। ଅନନ୍ତ କାଳ ଭିତରେ ଆମର ଏ ଜୀବନ ବୁଦବୁଦ ସଦୃଶ। କାଳକୁ କ’ଣ ମପା ଯାଇ ପାରେ? ମଣିଷ କେବଳ ତା ସୁବିଧା ପାଇଁ କାଳକୁ ମାପିବା ଚେଷ୍ଟା ମାତ୍ର କରିଛି। କାଳକୁ ବାନ୍ଧି ଦେଇଛି ବର୍ଷ, ମାସ, ସପ୍ତାହ, ଦିନ, ଦଣ୍ଡ, ଘଣ୍ଟା, ମିନିଟ, ସେକେଣ୍ଡ ଆଦି ପରିମାପକରେ। କାଳପାଇଁ କୌଣସି ପରିମାପକ ନାହିଁ, ଏହି କଥା କହିଛନ୍ତି ପ୍ରଖ୍ୟାତ ବିଜ୍ଞାନୀ ଆଇନଷ୍ଟାଇନ ତାଙ୍କର ଆପେକ୍ଷିକ ତତ୍ତ୍ୱ ମାଧ୍ୟମରେ। ତାଙ୍କ ତତ୍ତ୍ୱଟି ଅତି ସରଳ ଭାବରେ ବୁଝାଯାଏ, ‘ଗୋଟିଏ ସୁନ୍ଦରୀ ଯୁବତୀ ସହ ବସି କଥା ହେଲେ ଘଣ୍ଟାକ ମିନିଟ ଟିଏ ପରି ଲାଗିବ। କିନ୍ତୁ ଗରମ ଲୁହା ଉପରେ ବସିଲେ ମିନିଟ ଟିଏ ଘଣ୍ଟାଏ ପରି ଲାଗିବ।’ କିନ୍ତୁ ଏହି କାଳକୁ ନେଇ ଆମେ ଖେଳଖେଳୁଛୁ। ଆମେ ଭାବୁଛୁ ଆଃ ଆଉ ଟିକିଏ ବଞ୍ଚନ୍ତୁ କି। ଏହା ହିଁ ସବୁଠାରୁ ଆଶ୍ଚର୍ଯ୍ୟ।
ମହାଭାରତରେ ଯକ୍ଷ ଧର୍ମରାଜ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲା, ‘କିମ୍ ଆଶ୍ଚର୍ଯ୍ୟମ୍।’ ଧର୍ମରାଜ ଯକ୍ଷକୁ ଉତ୍ତର ଦେଇ କହିଥିଲେ, ‘ଦୁନିଆରେ ପ୍ରତି ଦିନ କେତେ ଜୀବ ମରୁଛନ୍ତି, କିନ୍ତୁ ମୃତ୍ୟର ସେ ତାଣ୍ଡବ ଲୀଳାକୁ ଦେଖି ମଧ୍ୟ ମଣିଷ ଚାହୁଁଛି ଦୀର୍ଘ ଜୀବୀ ହେବା ପାଇଁ, ଏହା ହିଁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ।’ ଜୀବ ମାତ୍ରେ ହିଁ ଜିଁଇଁବାର ଲାଳସା। ମାତ୍ର କାଳ ଚରୈବତି, ଚରୈବତି ଗତିରେ ଚାଲିଛି, ପଥରେ ସକଳ କବଳିତ କରି। ଦିନ, ରାତି, ମାସ, ବର୍ଷ, ଦଶନ୍ଧି, ଶତାବ୍ଦୀ, ସହସ୍ରାବ୍ଦ ଏହି ଭାବରେ ଗତି କରୁଥିବ କାଳ। ୨୦୨୪ କୁ ବିଦାୟ ଦେଇ ୧ ଜାନୁଆରୀ ୨୦୨୫ କୁ ସ୍ବାଗତ କରିଛି ସାରା ବିଶ୍ବ। ଯେଉଁ ବର୍ଷଟି ସରିଲା ତାହା ଗୋଟେ ଛକ ଯାଗା। କିନ୍ତୁ ଆମେ ଏଇଠି ଟିକିଏ ଅଟକି ପଛକୁ ଚାହିଁବା ଓ ଭାବିବା, ଛାଡ଼ି ଆସିଥିବା ସମୟ ଏବଂ ଅତୀତ ହୋଇଥିବା ବର୍ଷଟି କେମିତି କଟାଇଛୁ, ସେଥିରେ ଆମର କଣ ଉପଲବ୍ଧି ହୋଇଛି, ସେସବୁକୁ ଟିକିଏ ପରଖି ନେବାର ବେଳ। ଟିକିଏ ଠିଆହୋଇ ପଛକୁ ଅନାଇ ତାପରେ ଆଗକୁ ଚାଲିବା, କାରଣ ଆଗକୁ ଚାଲିବାହିଁ ଜୀବନ। ପ୍ରତ୍ୟକ ବର୍ଷ ସରି ଯାଆନ୍ତି। କାଳଶ୍ଚ ନିରବଧି, ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ। ଆମ ଚାଲିବା ଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ। ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ। ଇଏ ହେଉଛି କାଳର କୁଟିଳ ଗତି, ଇଏ କାଳ ନୁହେଁ ମହାକାଳ। ଏ କାଳ ସବୁକୁ କବଳିତ କରିନିଏ। ବାୟୁ ମେଘ ଖଣ୍ଡକୁ ଉଡାଇ ନେଲା ଭଳି କାଳ ତାହା ଗର୍ଭରେ ସବୁକୁ ନେଇ ଚାଲି ଯାଏ। ସେଥି ପାଇଁ ଭାଗବତ କହିଛନ୍ତି :-