ବାଲେଶ୍ଵର ଜିଲ୍ଲା ମହୋତ୍ସବ ‘କୋଶମ୍ୱ-୨୦୨୫’ ପ୍ରସ୍ତୁତି ଓ ସଫଳ ଆୟୋଜନ ସମ୍ବନ୍ଧେ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ‘କୋଶମ୍ୱ -୨୦୨୫’ ତଥା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରୀକରଣ ମେଳା ଚଳିତ ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଆୟୋଜିତ ହେବାକୁ ଯାଉଛି। ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ଘ. ୧୧ ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ବିଶ୍ୱରଞ୍ଜନ ନାୟକ ତଥା ଡେପୁଟି ସିଇଓ ଓରମାସ ଶ୍ରୀ ଶାନ୍ତନୁ ବାନାର୍ଜୀ ମଧ୍ୟ ମଞ୍ଚାସୀନ ଥିଲେ। ବିଭିନ୍ନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲାସ୍ତରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ବିକାଶ ‘କୋଶମ୍ଭ-୨୦୨୫’ ର ସଫଳ ଆୟୋଜନ ପାଇଁ ଆବଶ୍ୟକୀୟ ବର୍ଗଗୁଡିକ ସଠିକ୍ ଭାବରେ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ମତ ପ୍ରକାଶ କରିଥିଲେ। ଦେଶର ୧୦ଟି ରାଜ୍ୟ ଏହି ମେଳାରେ ଭାଗ ନେଉଥିବା ବେଳେ ଓଡ଼ିଶାର ୩୦ଟି ଜିଲ୍ଲା ଏହି ମେଳାରେ ନିଜର ବିବିଦ୍ଧ ସଂସ୍କୃତିର ପ୍ରଦର୍ଶନ କରିବେ। ଏହି ମେଳାରେ ବିଭିନ୍ନ ବିଭାଗୀୟ ଓ କୃଷି ଯନ୍ତ୍ରୀକରଣ ଉପରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଷ୍ଟଲ୍ ଖୋଲିବାର ବ୍ୟବସ୍ଥା ରହିଛି। ସଂଧ୍ୟାରେ ସ୍ଥାନୀୟ, ଓଡ଼ିଶା ତଥା ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ବାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ଶେଷରେ ଜିଲ୍ଲାପାଳ ଶ୍ରୀ ବିକାଶ ଗଣମାଧ୍ୟମର ସକ୍ରିୟ ସହଭାଗିତା ଦ୍ୱାରା କୋଶମ୍ୱ-୨୦୨୫ ର ସଫଳ ଆୟୋଜନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.