ଅନୁଷ୍ଠିତ ହେଲା ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ଅଷ୍ଟାଦଶ ପ୍ରତିଷ୍ଠା ଦିବସ

ଦିବଂଗତ କବି ବ୍ରଜନାଥ ରଥଙ୍କ ୯୦ତମ ଜୟନ୍ତୀ ଅବସରରେ ବର୍ଷୀୟାନ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କୁ ପ୍ରଦାନ କରାଗଲା ବ୍ରଜନାଥ ରଥ ସାରସ୍ବତ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ବିଶିଷ୍ଟ କବି ଡକ୍ଟର ବ୍ରଜନାଥ ରଥ ଓଡ଼ିଆ କାବ୍ୟକବିତା ରଚନା ଦିଗରେ ଥିଲେ ଜଣେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ। ତାଙ୍କର ପ୍ରତ୍ୟେକ କବିତାରେ ଥିଲା ସମାଜବାଦ ଓ ମାନବବାଦର ଉଦାତ୍ତ ସ୍ୱର। କଳାସାହିତ୍ୟର ଶ୍ରୀକ୍ଷେତ୍ର ଭାବରେ ପରିଗଣିତ ବାଲେଶ୍ୱର ମାଟିରେ ବ୍ୟାସକବି ଫକୀର ମୋହନଙ୍କ ପରେ ସେ ଥିଲେ ଦ୍ଵିତୀୟ ବଳିଷ୍ଠ ସ୍ରଷ୍ଟା ବୋଲି କବି ବ୍ରଜନାଥ ରଥଙ୍କ ୯୦ତମ ଜୟନ୍ତୀ ସମାରୋହ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ଅଷ୍ଟାଦଶ ଉତ୍ସବରେ ଯୋଗ ଦେଇ ମୁଖ୍ୟ ଅତିଥି କବି ମନୋରମା ବିଶ୍ବାଳ ମହାପାତ୍ର ପ୍ରକାଶ କରିଥିଲେ।ସୁନହଟସ୍ଥିତ କବିଙ୍କ ଜନ୍ମସ୍ଥାନରେ ସ୍ଥାପିତ ‘କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ’ର ଏହି ସମାରୋହରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୩ ଜଣ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ, କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ ଓ କବି ବ୍ରଜନାଥ ରଥ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

କବି ବ୍ରଜନାଥ ରଥ ଓ କବି ଶୁଭେନ୍ଦୁ ମୋହନ ଦାସଙ୍କ ସହ ‘ତିନୋଟି ନିଃଶ୍ୱାସ’ ନାମରେ ଏକ କବିତା ସଙ୍କଳନ ସୃଷ୍ଟି କରିଥିବା ବର୍ଷୀୟାନ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କୁ ‘କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ପ୍ରଗତିବାଦୀ କବି ଓ ଜନଜାତି ଆନ୍ଦୋଳନର ଲେଖକ ବିଜୟ କୁମାର ଉପାଧ୍ୟାୟଙ୍କୁ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ’ ଏବଂ କବି ବ୍ରଜନାଥ ରଥଙ୍କ କାବ୍ୟ କବିତାକୁ ଅସମୀୟା ଭାଷାରେ ଅନୁବାଦ କରିଥିବା ଆସାମର କାମରୂପ ମହାବିଦ୍ୟାଳୟର ଅଧ୍ୟାପିକା ବିଶିଷ୍ଟ ଅନୁବାଦିକା ଓ ଲେଖିକା ବର୍ଣ୍ଣାଳି ଡେକାଙ୍କୁ ‘କବି ବ୍ରଜନାଥ ରଥ ସାରସ୍ୱତ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରତିବର୍ଷ ପରି ଏ ବର୍ଷ ସାରସ୍ୱତ ସମ୍ମାନ ଗ୍ରହଣ କରିଥିବା ସାରସ୍ୱତ ପ୍ରତିଭାମାନଙ୍କୁ ନଗଦ ପଚିଶ ହଜାର ଟଙ୍କା, ପାଞ୍ଚ ହଜାର ଟଙ୍କା ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ କହିଲେ ଯେ ବ୍ରଜବାବୁଙ୍କ କବିତା କାଳଜୟୀ ସୃଷ୍ଟି ଭାବରେ ବଞ୍ଚି ରହିଥିବ। ତାଙ୍କ ସାନ୍ନିଧ୍ୟରେ ମୋର ଜୀବନ ଓ କବିତା ହୋଇଥିଲା ଧନ୍ୟ। ତାଙ୍କ ଅବର୍ତ୍ତମାନରେ ତାଙ୍କ ନାଁରେ ଗ୍ରହଣ କରୁଥିବା ଏ ସମ୍ମାନ ମୋ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ ହୋଇ ରହିବ। ସ୍ମୃତି ସମ୍ମାନ ଗ୍ରହଣ କରି କବି ବିଜୟ ଉପାଧ୍ୟାୟ କବିଙ୍କ ସହ ବିତେଇଥିବା ମହାର୍ଘ୍ୟ ସମୟକୁ ମନେ ପକେଇ କହିଥିଲେ କବି ରଥ ଥିଲେ ଏ ମାଟିର ଦ୍ଵିତୀୟ ସେନାପତି। ଆସାମର କାମରୂପ ମହାବିଦ୍ୟାଳୟର ଅସମୀୟା ଭାଷା ସାହିତ୍ୟର ଅଧ୍ୟାପିକା ଡକ୍ଟର ବର୍ଣ୍ଣାଳି ଡେକା କହିଲେ ମୋ ଜୀବନରେ ମୁଁ ଯେତେ ଅନୁବାଦ କରିଛି ସେ ସବୁ ଭିତରେ କବି ରଥଙ୍କ କବିତାର ଅନୁବାଦ ଥିଲା ମୋ ପାଇଁ ଶ୍ରେଷ୍ଠତମ। କବି ବ୍ରଜନାଥ ମୋ ପାଇଁ କେବଳ ଜଣେ କବି ନ ଥିଲେ ସେ ଥିଲେ ମୋର ଅନନ୍ୟ ପ୍ରେରଣାର ଉତ୍ସ।
ଏହି ସଭାରେ ବିଶିଷ୍ଟ ଗବେଷିକା ଡକ୍ଟର ନିବେଦିତା ମହାନ୍ତି ସଭାପତିତ୍ୱ କରିଥିଲେ। ସେ ତାଙ୍କର ଅଭିଭାଷଣରେ ଦିବଙ୍ଗତ କବିଙ୍କୁ ବାଲେଶ୍ୱର ସାରସ୍ୱତ ଜଗତର ଅଭିଭାବକ ବୋଲି କହିଥିଲେ ।

ପ୍ରାରମ୍ଭରେ କବି କାଳିକିଙ୍କର ଦାସଙ୍କ ସଂଯୋଜନାରେ ‘ତିନୋଟି ନିଃଶ୍ୱାସର ଆକାଶ’ କବିତା ସଙ୍କଳନରୁ କବି ବ୍ରଜନାଥ ରଥଙ୍କ କବିତାକୁ ଡକ୍ଟର ଅରବିନ୍ଦ ଗିରି, ଡକ୍ଟର ଶିରୀଷ ଚନ୍ଦ୍ର ଜେନା, କବି ଦୀପ୍ତି ଦାସ, ଦୀପକ ବୋଷ, ଡାକ୍ତର କୁମାର ଗୋପାଳ, ଡକ୍ଟର ରାଧାରଂଜନ ପଟନାୟକ, କବି ବଂଶୀଧର ଚୌଧୁରୀ, କବି ପ୍ରୀତିଲେଖା ଦାସ, କବି ମନସ୍ବିନୀ ଦେବୀ, କବି ରଂଜନ ବାଗ,କବି ସୁବାସ ସ୍ୱାଇଁ, କବି ସୌଭାଗିନୀ ମିଶ୍ର, କବି ଅନସୂୟା ରଥ ଆଦି ପଠନ କରିଥିଲେ। କବି ବ୍ରହ୍ମନାଥ ରଥ ମଞ୍ଚ ଆହ୍ବାନ କରିଥିଲା ବେଳେ ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ କାଳିକିଙ୍କର ଦାସ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଉତ୍ସବରେ ଗାଳ୍ପିକ କାଳିକିଙ୍କରଙ୍କର ପଞ୍ଚମ ଗଳ୍ପ ସଂକଳନ ‘ଶୂନରେ ଶୂନ ଶୂନ’ ଓ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ସ୍ୱପ୍ନଦୀପ’ର ଦ୍ଵିତୀୟ ବର୍ଷ ଦ୍ଵିତୀୟ ସଂଖ୍ୟା ଅତିଥିମାନେ ଲୋକାର୍ପିତ କରିଥିଲେ । ମାନପତ୍ର ପାଠ କରିଥିଲେ ସୌଭାଗିନୀ ମିଶ୍ର, ଦେବୀଦତ୍ତ ଆଚାର୍ଯ୍ୟ ଓ ଅନୁରାଗ ମିଶ୍ର। ପ୍ରାରମ୍ଭରେ ବହ୍ନିମାନ ରଥ ମନସ୍ୱିନୀ ଦେବୀଙ୍କ ରଚନାରୁ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ମନସ୍ବିନୀ ଦେବୀ ଧନ୍ୟବାଦ ଦେଇଥିଲେ । ଏହି ସାରସ୍ବତ ମିଳନ ଉତ୍ସବରେ ବାଲେଶ୍ୱର ଓ ବାଲେଶ୍ବର ବାହାରୁ କବି, ଲେଖକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.