ଶ୍ରାବଣରେ ମୌସୁମୀର ଦେଖାନାହିଁ, ଶୁଭିଲାଣି ମରୁଡିର ପଦଧ୍ବନୀ

ବର୍ତମାନ ସୁଦ୍ଧା ମାତ୍ର ୫୦୧୩ ହେକ୍ଟର ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଛି

ରାୟଗଡ ଜିଲ୍ଳାରେ ୨ମାସ ମଧ୍ୟରେ ୬୦ପ୍ରତିଶତ ସ୍ୱଳ୍ପବୃଷ୍ଟି

ରାୟଗଡ,୨୩/୭ : ଓଡିଶାର ଉପକୂଳ ରୁ ପଶ୍ଚିମ, ଉତ୍ତର କିମ୍ବା ଦକ୍ଷିଣ ଓଡିଶା ହେଉ ମରୁଡିର ପଦଧ୍ୱନି ସବୁଠି ଏବେ ଶୁଣିବାକୁ ମିଳିଲାଣି । ଜୁନ ମାସ ଶେଷ ହୋଇ ଜୁଲାଇ ମାସର ଧାରା ଶ୍ରାବଣରେ ମୈାସୁମୀ ଲୁଚକାଳି ଖେଳୁଥିବା ବେଳେ ଜୁଲାଇରେ ସାଧାରଣତଃ ଯେତିକି ବର୍ଷା ହେବା କଥା ତା’ଠାରୁ କମି ଯାଇଛି ବର୍ଷାର ପରିମାଣ । ଏପଟେ ବର୍ଷାର ଦେଖା ନ ଥିବା ବେଳେ ଚେକଡ୍ୟାମ ଗୁଡିକର ମରାମତି ବର୍ଷା ପୂର୍ବରୁ ନ ହୋଇଥିବାରୁ ଅନାବନା ଗଛ ତଥା ମାଟି ପୋତି ହୋଇ ପାଣି ନ ଥିବାରୁ କେନାଲ ଗୁଡିକ ମଧ୍ୟ ଶୁଖିଲା ପଡିଥିବାରୁ ପାଣି ଚାଷୀର ଚାଷଜମିକୁ ପଂହଚି ପାରୁନି ଫଳରେ ଚଳିତ ବର୍ଷ ମରୁଡି ଆଶଙ୍କାରେ ମୁଣ୍ଡ ଦେଇ ବସିଲେଣି ରାୟଗଡା ଜିଲ୍ଳାର ଚାଷୀକୂଳ ।

ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହେବା କଥା କିନ୍ତୁ ଏବେ ଟାଇଁ ଟାଇଁ ଖରା ଯୋଗୁଁ ଜିଲ୍ଳାରେ ଥିବା ସମସ୍ତ ନଦୀ ନାଳ, ଝରଣା ସହ କୂପଗୁଡିକରେ ପାଣି ଶୁଖିଲା ହୋଇପଡିଛି । ଫଳରେ ଚାଷଜମି ଫାଟି ଆଁ କରି ସାରିଲାଣି । ବେଉଷଣ ସମୟରେ ବିଲରେ ହଳ ବୁଲାଇ ପାରୁନି ଚାଷୀ । ପାଣିପାଗ ବିଭାଗର ସୂଚନାକୁ ବିଶ୍ୱାସ କରି ଖରିଫ ଋତୁରେ ଭଲ ଧାନ ଫସଲ କରି କିଛି ଦୁଇ ପଇସା ରୋଜଗାର କରିଥିବା ଚାଷୀ ଏବେ ବର୍ଷା ଆଉ କେନାଲରେ ପାଣି ଅଭାବରୁ ଜମିରେ ଲଗାଇଥିବା ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଚାଷ କାମ ଆରମ୍ଭରୁ ଏପରି ସ୍ଥିତି ଦେଖି ଚାଷି ମୁଣ୍ଡ କାମ କରୁନି । ରାୟଗଡ ଜିଲ୍ଳା କୃଷି ବିଭାଗ ଠାରୁ ମିଳିଥିବା ସୂଚନା ପ୍ରକାରେ ଚଳିତ ମାସର ୨୧ତାରିଖ ସୁଦ୍ଧା ଜିଲ୍ଳାରେ ବର୍ଷା ପରିମାଣ ୬୦ପ୍ରତିଶତ କମିଯାଇଛି । କୃଷି ପ୍ରାଧନ୍ୟ ରାୟଗଡା ଜିଲ୍ଳାରେ ଧାନଚାଷ ପୂରା ଉଜୁଡିଗଲାଣି କହିଲେ ଚଳେ । କେତେକ ବ୍ଳକରେ ଧାନବୁଣା କାମ ସରିଥିବା ବେଳେ ପାଣି ଅଭାବରୁ ରୁଆ ଓ ବେଉଷଣ ହୋଇପାରୁନାହିଁ । ବର୍ଷାକୁ ଅପେକ୍ଷା କରି ବିଲରେ ଧାନତଳି ଏବେ ହଳଦିଆ ପଡିଗଲାଣି । ପ୍ରବଳ ଟାଣ ଖରାରେ ଜମି ଫାଟି ଆଁ କରିିଛି । କିଛି ବିଲରେ ତ ଗାଈଗୋରୁ ଚରିବା ଆରମ୍ଭ କଲେଣି ।

ଏଭଳି ସ୍ଥିତିରେ ମରୁଡିର ସଙ୍କେତ ମିଳିଥିବା ଚାଷୀ ନିଜ ଭାଗ୍ୟକୁ ଆଦିରି ବସିଛି ତଥାପି ଇନ୍ଦ୍ରଦେବଙ୍କ ଉପରୁ ଭରସା ହରେଇନି ଚାଷୀ । ଆକାଶକୁ ଚାତକ ପରି ଦେଖି ନିଜ ବିଲରେ ଦିନ ତମାମ ବସି ରହୁଥିବା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଅପରପକ୍ଷେ ଜୁଲାଇ ମାସ ୨୧ତାରିଖ ସୁଦ୍ଧା ଜିଲ୍ଳାରେ ମାତ୍ର ୧୫୪.୯ ମିଲିମିଟର ବର୍ଷା ହୋଇଥିବା ବିଭାଗୀୟ ରିପୋର୍ଟ କହୁଛି । ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ୧ଲକ୍ଷ ୭୪ ହଜାର ହେକ୍ଟର ଚାଷ ଜମିରୁ ୫୫୪୭୭ ହେକ୍ଟରରେ ଧାନଚାଷ କରିବା ଲକ୍ଷ୍ୟ ରହିଥିବା ବେଳେ ବର୍ତମାନ ସୁଦ୍ଧା ମାତ୍ର ୫୦୧୩ହେକ୍ଟର ଚାଷ ଜମିରେ ଧାନ ବୁଣା ଓ ରୁଆ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି ।

ରାୟଗଡ ଜିଲ୍ଲାର କେଉଁ ବ୍ଲକରେ କେତେ ପରିମାଣରେ ହୋଇଛି ବୃଷ୍ଟିପାତ

ସେହିପରି ଜିଲ୍ଳାର କାଶିପୁରରେ ସର୍ବାଧିକ ୩୪୩.୪ମିମି., ଗୁଣପୁରରେ ୧୦୪ମିମି, ବିଷମକଟକରେ ୧୨୯.୯ମିମି, ମୁନିଗୁଡାରେ ୧୬୭.୨ମିମି , ରାମନାଗୁଡାରେ ୧୧୨.୪ମିମି, କଲ୍ୟାଣସିଂହପୁରରେ ୧୫୩.୯ମିମି, ଚନ୍ଦ୍ରପୁରରେ ୨୩୮.୪ମିମି, କୋଲନରାରେ ୮୬ମିମି, ଗୁଡାରୀରେ ୧୧୬.୮ମିମି, ରାୟଗଡାରେ ୧୦୭ମିମି ଓ ଜିଲ୍ଳାର ଭାତହାଣ୍ଡି ବୋଲାଉଥିବା ପଦ୍ମପୁର ବ୍ଳକରେ ସର୍ବନିମ୍ନ ୧୪.୧ମିମି ବର୍ଷା ହୋଇଥିବା ବିଭାଗୀୟ ରିପୋର୍ଟ ଦର୍ଶାଉଛି ।

ଆଗାମୀ ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଉପୁଜିବ ମରୁଡି ସମସ୍ୟା କୃଷି ଉପନିର୍ଦ୍ଦେଶକ

ଏବେ ଚାଷଜମିରେ ମାଟିରେ ଆଦ୍ରତା ଭଲ ରହିଥିବା ବେଳେ ଯଦି ଆଗାମୀ ସପ୍ତାହକ ମଧ୍ୟରେ ବର୍ଷା ନହୁଏ ତେବେ ଜିଲ୍ଳାରେ ମରୁଡି ପରିସ୍ଥିତି ଉପୁଜିପାରେ ବୋଲି ଭାରପ୍ରାପ୍ତ ଜିଲ୍ଳା କୃଷି ଉପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସିଂ ସୂଚନା ଦେଇଛନ୍ତି । ସେହିପରି ନର୍ସରୀରେ ୮୦ପ୍ରତିଶତ ଧାନ ବିହନ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିବା ବେଳେ ଜିଲ୍ଳାର ୧୮୨ଟି ପଂଚାୟତ ସମେତ ୩ଟି ୟୁଏଲବିରେ ପୋଷ୍ଟର,ବ୍ୟାନର ମାଧ୍ୟମରେ କୃଷି ଓ ବୀମା କମ୍ପାନୀ ଦ୍ୱାରା ଫସଲ ବୀମା ସମ୍ବନ୍ଧରେ ସଚେତନ କରାଯାଉଥିବା ଜିଲ୍ଳା କୃଷି ଉପନିର୍ଦ୍ଦେଶକ ଶ୍ରୀ ସିଂ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.